ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର ଜାମିନ ମିଳିଛି। ଥାନେର ଏକ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ହେଲେ ତାଙ୍କ ନାଁରେ ଆହୁରି ଏକାଧିକ ମାମଲା ରହିଥିବା ଯୋଗୁ ଜାମିନ୍‌ ମିଳିବା ସତ୍ତ୍ୱେ ମଧ୍ୟ ସେ ଜେଲ୍‌ରେ ରହିବେ। କେତକୀ ମାସେରୁ ଅଧିକ ଦିନ ହେଲା ଜେଲରେ ଥିଲେ।
ସୂଚନାନୁସାରେ, ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ ପୋଷ୍ଟ କରିଥିଲେ ୨୯ ବର୍ଷୀୟ କେତକୀ। ପୋଲିସ ତାଙ୍କ ନାଁରେ ୨୦ରୁ ଅଧିକ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ସମ୍ମାନହାନୀ, ଆପତ୍ତିଜନକ ଲେଖା ପୋଷ୍ଟ କରିବା ଓ ଧର୍ମ ଏବଂ ଜାତିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ମାମଲା ରୁଜୁ କରାଯାଇଛି। ଗତଥର ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରାଯାଇଥିଲା।

Share