Categories: ଜାତୀୟ

ପରିବାରର ୪ ଜଣଙ୍କୁ ଟାଙ୍ଗି ମାରିଲେ ମାଓବାଦୀ

ପାଟଣା,୧୪।୧୧: ବିହାରର ଗୟା ଜିଲାରେ ଶନିବାର ମାଓବାଦୀମାନେ କାଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗି ଦେଇଛନ୍ତି। କେବଳ ଏତିକି ନୁହେଁ ମୃତକଙ୍କ ଘରକୁ ଡାଇନାମାଇଟ୍‌ ଲଗାଇ ଉଡାଇ ଦିଆଯାଇଛି। ଦୁମାରିଆର ମୋନବାର ଗ୍ରାମରେ ସର୍ଜୁ ଭୋକ୍ତାଙ୍କ ଘରେ ତାଙ୍କ ଦୁଇ ପୁଅ ସତ୍ୟନ୍ଦ୍ର ସିଂ ଭୋକ୍ତା ଓ ମହେନ୍ଦ୍ର ସିଂ ଭୋକ୍ତା ଏବଂ ସେମାନଙ୍କ ସ୍ତ୍ରୀଙ୍କୁ ବାନ୍ଧି ଘର ଆଗରେ ଟାଙ୍ଗି ଦେଇଛନ୍ତି।

ମାଓବାଦୀମାନେ ସେମାନଙ୍କ ଘର କବାଟରେ ଏକ ପୋଷ୍ଟର ମରାଯାଇଛି। ସେଥିରେ ୪ ମାଓବାଦୀ (ଅମରେଶ କୁମାର, ସୀତା କୁମାର, ଶିବପୁଜନ କୁମାର ଓ ଉଦୟ କୁମାର)ଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଘଟଣାରେ ଏହି ପରିବାରର ସମ୍ପୃକ୍ତି ଥିଲା ବୋଲି ଦର୍ଶାଯାଇଛି। ଦେଶଦ୍ରୋହୀମାନଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଉକ୍ତ ପୋଷ୍ଟରେ ଚେତାବନୀ ଦିଆଯାଇଛି।

ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ବର୍ଷେ ତଳେ ଉକ୍ତ ୪ ମାଓବାଦୀ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। କିନ୍ତୁ ମାଓବାଦୀଙ୍କ ଦାବି ଅନୁଯାୟୀ, ତାହା ଏକ ଫେକ୍‌ ଏନକାଉଣ୍ଟର ଥିଲା। ଘର ମାଲିକ ସେମାନଙ୍କୁ ବିଷ ଦେଇଥିଲେ। ତା’ ପରେ ପୋଲିସକୁ ଡକାଇଥିଲେ।

Share