ଗାତ ଖୋଳି ଜଙ୍ଗଲରେ ଲୁଚାଇ ରଖିଥିଲେ ଅସ୍ତ୍ରଶସ୍ତ୍ର, ସର୍ଚ୍ଚ ଅପରେଶନ ବେଳେ ଯାହା ମିଳିଲା…

ମାଲକାନଗିରି,୯।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲା ଦର୍ଭା ଥାନା ସୀମାନ୍ତ ଏବଂ ଓଡିଶା ମାଲାକନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଡିବିଏଫ ଏବଂ ବିଏସ୍‌ଏଫ ଯବାନ ଏକ ମାଓବାଦୀ ଡମ୍ପ ଜବତ କରିଛନ୍ତି।

ମାଲକାନଗିରି ଏସ୍‌ପି. ବିନୋଦ ପାଟିଲ ଏକ ଖବରଦାତା ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ସକାଳୁ ଡିବିଏଫ ଏବଂ ବିଏସଏଫ ଯବାନ ଓଡ଼ିଶା ଛତିଶଗଡ଼ ସୀମାନ୍ତ କିରିମିଟି ଓ
କଟୁଆପଦର ଗ୍ରାମ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ।

ସେତିକିବେଳେ ଏକ ମାଓବାଦୀ ଡମ୍ପ ଠାବ କରିଥିଲେ। ଉକ୍ତ ଡମ୍ପରୁ ଗୋଟିଏ ଇନସାସ ଏଲଏମ୍‌ଜି, ୨ଟି ଇନସାସ ରାଇଫଲ, ୩ଟିଫିନ ବୋମା, ଗୋଟିଏ ଗ୍ରେନେଡ, ଗୋଟିଏ ଏକେ ମାଗାଜିନ, ୧୩ଟି ଇଲେକ୍ରିଟ୍‌ ତାର ସହ ଡିଟୋନେଟର, ଗୋଟିଏ ଓ୍ବାକିଟାକି, ୫ ମିଟର ବିଦ୍ୟୁତ୍‌ ତାର, ଗୋଟିଏ ସୋଲାର ପ୍ଲେଟ, ୧୫ଟି ପ୍ରିଣ୍ଟର, ୧୯ଟି ସିରିଞ୍ଜ, ୩ କେଜି ଗନ ପାଉଡର, ୧୦ଟି ସାଲାଇନ ବୋତଲ, ୧୦ଟି ସାଲାଇନ ପାଇପ୍‌, ମାଓବାଦୀ ପୁସ୍ତିକା, ଛୁରୀ, କଇଁଚି, ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ତେବେ ଏକଦା ଏହି ଅଂଚଳ ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବା ବେଳେ ଆନ୍ଧ୍ର ଓଡ଼ିଶା ବୋଡର୍‌ ସ୍ପେଶାଲ ଜୋନାଲ କମିଟି ଦ୍ୱାରା ଏହି ଡମ୍ପ କରାଯାଇ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ରଖାଯାଇଥିଲା ବୋଲି
ସୂଚନା ମିଳିଛି। ଖବରଦାତା ସମ୍ମିଳନୀରେ ଡିବିଏଫ୍‌ କମାଣ୍ଡେଣ୍ଟ ସୁଶିଲ କୁମାରଙ୍କ ସହ ଅନ୍ୟ ଯବାନମାନେ ଉପସ୍ଥିତ ରହିଥିଲେ।

Share