Categories: ଜାତୀୟ

ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍‌ ଲାଇନ୍‌ ଉଡାଇଲେ…

ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମରାଣ୍ଡିଙ୍କ ଗିରଫକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଏହି ବନ୍ଦ ଠାକରା ଦିଆଯାଇଛି। ମାଓବାଦୀମାନେ ଧାନବାଦ ରେଳ ଡିଭିଜନର ଟୋରି ଏବଂ ଲାତେହାର ମଧ୍ୟରେ ଥିବା ରେଳ ଲାଇନ୍‌କୁ ବେସ୍ଫୋରଣ କରି ମଧ୍ୟ ରାତ୍ର ୧୨ଟା ୪୫ରେ ଉଡ଼ାଇ ଦେଇଛନ୍ତି।

ଏହି ରେଳପଥରେ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଛି। ସର୍ଚ୍ଚ ଅପରେଶନ ମଧ୍ୟ ଚାଲିଛି। ଏହି ଘଟଣା ପରଠାରୁ ସ୍ଥାନୀୟ ପୋଲିସ ଆରପିଏଫ, ଜିଆର୍‌ପି ସହିତ ସଜାଗ ରହିଛନ୍ତି। ନକ୍ସଲମାନଙ୍କ ବିରୋଧରେ ଏଠାରେ ସର୍ଚ୍ଚ ଅପରେଶନ ଏବଂ କୁମ୍ବିଂ ଅପରେଶନ ଚାଲିଛି।

ଝାଡଖଣ୍ଡ, ଛତିଶଗଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପୋଲିସ ଏବଂ ସାମରିକ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। ରାଜପଥ ଏବଂ ରେଳ ମାର୍ଗ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି।

ନଭେମ୍ବର ୧୨ରେ ଝାଡଖଣ୍ଡ ପୋଲିସ ଜାମସେଦପୁର ନିକଟସ୍ଥ କାଣ୍ଡ୍ରାଟୋଲ ବ୍ରିଜରୁ ସିପିଆଇ-ମାଓବାଦୀ ସଂଗଠନର ବରିଷ୍ଠ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଶୀଲା ମାରାଣ୍ଡିଙ୍କ ସମେତ ୬ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏହି ମାଓବାଦୀମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ପ୍ରଶାନ୍ତ ବୋଷ ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ମହାରାଷ୍ଟ୍ରର ପାଞ୍ଚଟି ରାଜ୍ୟର ମୁଖ୍ୟ। ପ୍ରଶାନ୍ତଙ୍କୁ ଝାଡଖଣ୍ଡ-ବିହାରରେ ମାଓବାଦୀଙ୍କ ସର୍ବୋଚ୍ଚ କମାଣ୍ଡର ଭାବରେ ବିବେଚନା କରାଯାଏ। ୧୦୦ରୁ ଅଧିକ ମାଓବାଦୀ ଆକ୍ରମଣ ଘଟଣାରେ ତାଙ୍କୁ ଖୋଜା ଯାଉଥିଲାବେଳେ ତାଙ୍କ ପତ୍ନୀ ଶୀଲା ମଧ୍ୟ ମାଓବାଦୀଙ୍କ ଶୀର୍ଷ କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ମାଓବାଦୀ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ ନାରୀ ମୁକ୍ତି ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଯେଉଁଥିପାଇଁ ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ସାସରାମ-ରାଞ୍ଚି ୧୮୬୩୬, ଜାମ୍ମୁ-ତାୱି ଏକ୍ସପ୍ରେସ ଭାୟା-କୋଡର୍ମା-ମୁରି ଦେଇ ଚାଲିବ। ନକ୍ସଲମାନଙ୍କ ଏହି କାର୍ଯ୍ୟ ହେତୁ ଦେହରୀ ଅନ ସୋନ – ବାରୱାଡି ସ୍ପେଶାଲ ୦୩୩୬୪ ଏବଂ ବାରୱାଡିହ – ନେସୁବୋଗୋମୋ ସ୍ପେସିଆଲ ଟ୍ରେନ ୦୩୩୬୨ ସମେତ ଅନେକ ଟ୍ରେନ ବାତିଲ ହୋଇଛି।

Share