ମାଓବାଦୀଙ୍କ ତାଣ୍ଡବ: ପୋଡ଼ିଦେଲେ ଘରୋଇ ଠିକା ସଂସ୍ଥାର ୬ ଗାଡ଼ି

ବାଲିଗୁଡା,୧୭।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କ୍ୟାମ୍ପକୁ ଉଡାଇ ଦେଇଥିବା ଜଣାପଡ଼ିଛି। ଏହା ସହ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ ହେଉଥିବା ହାଇୱା, ପାଣି ଟ୍ୟାଙ୍କର ସମେତ ୬ଟି ଗାଡ଼ିକୁ ପୋଡି ଦେଇଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବାଲିଗୁଡ଼ା ଥାନା ଅଞ୍ଚଳର କଞ୍ଜାଲଗୁ ଓ ପରୁଭଟା ଜଙ୍ଗଲରେ ଚାଲିଥିବା ୮ କି.ମି. ରାସ୍ତା କାମକୁ ମାଓବାଦୀମାନେ ପୂର୍ବରୁ ବିରୋଧ କରିଥିଲେ। ଏ ନେଇ ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ଏହି ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଉଡାଇ ଦେଇଛନ୍ତି। ଏଥି ସହ ରାସ୍ତାକାମରେ ବ୍ୟବହୃତ ଗାଡ଼ି ମଧ୍ୟ ପୋଡି ଦେଇଛନ୍ତି। ଏହା ସହ ପୋଷ୍ଟର ଓ ବ୍ୟାନର ଲଗାଇ ସଫେଲ ଏନ୍‌କାଉଣ୍ଟରରେ ସାମିଲ ଥିବା ସୂଚନାଦାତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଲେଖିଛନ୍ତି। ରବିବାର କ. ନୂଆଗାଁ ଓ ବାଲିଗୁଡାରେ କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଜାରି ହୋଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।