ମାଓବାଦୀ ନେତା କ୍ରିଷ୍ଣାଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୧।୪ (ଡି.ଏନ୍‌.ଏ.): ଆନ୍ଧ୍ର- ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ନେତା ତଥା ସ୍ବାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡି ଓରଫ ଭେଙ୍କାଟା କ୍ରିଷ୍ଣା ଓରଫ କ୍ରିଷ୍ଣା ମଙ୍ଗଳବାର ବିଜୟଓ୍ବାଡାଠାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଆନ୍ଧ୍ର ଡିଜିପି ଗୌତମ ସ୍ପଷ୍ଟ କରିଛନ୍ତି। ୨୫ ବର୍ଷରୁ ଊର୍ଦ୍ଧ୍ୱ ଧରି ଉଭୟ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଆଧିପତ୍ୟ ବିସ୍ତାର କରିଥିବା କ୍ରିଷ୍ଣା ୨୦୦୮ରେ ସ୍ବାଭିମାନ ଅଞ୍ଚଳ ଦାୟିତ୍ୱରେ ଥିବା ବେଳେ ମାଲକାନଗିରିର ପୂର୍ବତନ ଜିଲାପାଳ ଆର୍‌. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟର ମାଇଣ୍ଡ ଥିଲେ। ତାଙ୍କୁ ସେତେବେଳେ ୯ ଦିନ ଧରି ପଣବନ୍ଦୀ କରି ରଖିଥିଲା ଲାଲବାହିନୀ। ପରେ ବିଭିନ୍ନ ସର୍ତ୍ତ ରଖି କ୍ରିଷ୍ଣା ତାଙ୍କୁ ଛାଡ଼ିଥିଲା। ୨୦୦୮ରେ ଚିତ୍ରକୋଣ୍ଡାର ଆଲାମପାକାଠାରେ ଲଞ୍ଚ ଆକ୍ରମଣରେ ୩୪ ଯବାନଙ୍କୁ ହତ୍ୟା ଘଟଣା ସହ ସ୍ବାଭିମାନ ଅଞ୍ଚଳରେ ଅନେକ ମାଓବାଦୀ ହିଂସାକାଣ୍ଡରେ ମୁଖ୍ୟ ଥିଲେ କ୍ରିଷ୍ଣା। ତାଙ୍କ ନାମରେ ଆନ୍ଧ୍ର ସରକାର ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ପୂର୍ବଭଳି ମାଓବାଦୀ ସଙ୍ଗଠନରେ ଆଉ ନୀତି ଆଦର୍ଶ ନାହିଁ। ସ୍ଥାନୀୟ ଲୋକଙ୍କ ଆଉ ସହଯୋଗ ମିଳୁନାହିଁ। ଲୋକମାନେ ବିକାଶ ପ୍ରକ୍ରିୟାରେ ସାମିଲ ହୋଇ ମାଓବାଦୀ ସଙ୍ଗଠନର ବିପ୍ଲବ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଫଳରେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜ ସେବା କରିବା ଲକ୍ଷ୍ୟରେ ସଙ୍ଗଠନ ଛାଡ଼ିଥିବା କ୍ରିଷ୍ଣା କହିଛନ୍ତି।