ମାଓବାଦୀ-ଯବାନ ଗୁଳି ବିନିମୟ

ନୂଆପଡ଼ା ଅଫିସ,୨୬।୧୦: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ୨ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଯବାନମାନେ କୋମ୍ବିଂ ଅପରେଶନ କରି ମାଓବାଦୀ କ୍ୟାମ୍ପ ଠାବ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜିଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପ୍ରତ୍ୟୁଷ ଦିବାକର ଏବଂ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋଷ ମିଳିତ ଭାବେ ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ୨୧ ତାରିଖରେ ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ପୋଲିସକୁ ଗୋଇନ୍ଦା ବିଭାଗରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ନୂଆପଡା ପୋଲିସ ରଣନୀତି ପ୍ରସ୍ତୁତ କରିଥିଲା। ଏସ୍‌ପି ଦିବାକରଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଟିମ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ରବିବାର ପୂର୍ବାହ୍ନରେ ଓଡ଼ିଶା ଓ ଛତିଶଗଡ ସୀମାନ୍ତରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ସୁରକ୍ଷା ବାହିନୀଙ୍କୁ ମୁକାବିଲା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା ବାହିନୀ କୋମ୍ବିଂ ଅପରେଶନ କରୁଥିବା ସମୟରେ ମଧ୍ୟାହ୍ନରେ ପୁଣିଥରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷା ବାହିନୀ ପାଲଟା ଗୁଳି ଚାଳନା କରିବାରୁ ମାଓବାଦୀମାନେ କ୍ୟାମ୍ପ ଛାଡି ଚାଲିଯାଇଥିଲେ। ସଂରକ୍ଷିତ ଜଙ୍ଗଲ ଭିତରେ ସୁରକ୍ଷା ବାହିନୀ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ବିଭିନ୍ନ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। କ୍ୟାମ୍ପରୁ ୨ଟି ଏଲଇଡି, ୩ଟି ଡିଟୋନେଟର, ୨ଟି ଅଫୁଟା ଗୁଳି, ଟାଙ୍ଗିଆ, ବିଭିନ୍ନ ପ୍ରକାର ମାଓବାଦୀ ପୋଷାକ, ରନ୍ଧା ସାମଗ୍ରୀ ଜବତ କରିଥିଲେ। ୨୩ ତାରିଖରେ ପ୍ରଥମ ଗୁଳି ବିନିମୟ ବେଳେ ୨୦ ରୁ ୨୫ଜଣ ମାଓବାଦୀ ଥିବା ଅନୁମାନ କରାଯାଇଥିବା ବେଳେ ଦ୍ୱିତୀୟ ଗୁଳି ବିନିମୟ ସମୟରେ ୧୦ରୁ ୧୫ଜଣ ମାଓବାଦୀ ଥିବା ଅନୁମାନ କରାଯାଉଛି ବୋଲି ଏସ୍‌ପି ଓ ସିଆରପିଏଫ କମାଣ୍ଡାଣ୍ଟ ଏକ ମିଳିତ ପ୍ରେସ ବିବୃତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।