ରାଇଘରରେ ମାଓବାଦୀ ବ୍ୟାନର, ପୋଷ୍ଟର

ରାଇଘର, ୨୧।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାକଡ଼ରେ ଗୁରୁବାର ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ରାଇଘର ବ୍ଲକ ଯୋଡିଙ୍ଗା ନିକଟବର୍ତ୍ତୀ ଶାସ୍ତ୍ରୀନଗର ଛକରେ ଲାଗିଥିବା ବ୍ୟାନର ଓ ପୋଷ୍ଟରରେ ବନ ବିଭାଗର କର୍ମଚାରୀ ଟଙ୍କା ଖାଇ ଜଙ୍ଗଲ କଟିବା ପାଇଁ ସୁଯୋଗ ଦେଉଥିବା ସହ ଜଙ୍ଗଲ ନଷ୍ଟ କରୁଥିବା ଉଲ୍ଲେଖ ରହିଛି। ଏଥିସହ ହାତିଗାଁ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଲକ୍ଷଣପୁର ଓ ନୂଆ କୁସୁମପୁର ତୁରନ୍ତ ସେଠାରୁ ଉଚ୍ଛେଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ମାଓବାଦୀ ବ୍ୟାନର ଓ ପୋଷ୍ଟର ଛତିଶଗଡ଼ର ଏରିଆ କମିଟି ପକ୍ଷରୁ ଲଗାଯାଇଛି। ରାଇଘର ପୋଲିସ ଖବର ପାଇ ଲାଗିଥିବା ମାଓବାଦୀ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାପଡ଼ିଛି।