ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ।

ସୂଚନୁନୁଯାୟୀ, ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ନିଲମପାଲି ଜଙ୍ଗଲରେ ଆଜି ଦୁଇଜଣ ଛାତ୍ରଙ୍କୁ ମାଓବାଦୀ ମାନେ ପୋଲିସ ସୂଚନାଦାତା ସନ୍ଦେହରେ ଉଠାଇ ନେଇ ଜଙ୍ଗଲ ମଧ୍ୟରେ ହତ୍ୟା କରିଛନ୍ତି। ଏହି ଦୁଇଜଣ ଛାତ୍ର ହେଲେ ସାଥି ହଡମା ଓ ମାଡକାମୀ ଅର୍ଜୁନ। ଦୁଇଜଣଙ୍କୁ ହତ୍ୟା ପରେ ମାଓବାଦୀମାନେ ଉଭୟଙ୍କ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା କିଛି ହାତ ଲେଖା ପୋଷ୍ଟର ଛଡ଼ା ଯାଇଥିବା ବେଳେ ସେଥିରେ ଏହି ଦୁଇଜଣ ପୋଲିସକୁ ମାଓବାଦୀଙ୍କ ଗତିବିଧି ଉପରେ ସୂଚନା ଦେଉଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଜଗରଗୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ମାଓବାଦୀମାନେ ନିରୀହ ଜନତାଙ୍କୁ ନିଜର ଟାର୍ଗେଟ କରିଥିବା ବେଳେ ପ୍ରଥମ ଥର ଏଭଳି ଛାତ୍ରମାନଙ୍କୁ ହତ୍ୟା କରିଛନ୍ତି।