ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଛୁଟି କାଟି ଫେରୁଥିବା ଏଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀ ପୋଲିସ ଏଏସ୍‌ଆଇ ନଗେୟା କର୍ସାଙ୍କୁ ହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ, ରବିବାର ଏଏସ୍‌ଆଇଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ତେବେ ସେ ଘରୁ ଛୁଟି କଟାଇ କୁଟୁର ଥାନାରେ କାର୍ଯ୍ୟରେ ଯୋଗଦେବାକୁ ଫେରୁଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିଥିଲେ। ସୋମବାର ବିଜାପୁର ଜିଲାର ତେନ୍ତୁଲନାର ଗାଁ ନିକଟରେ ରାସ୍ତା ଉପରେ ଏଏସ୍‌ଆଇଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମାଓବାଦୀ ଏକ ଚିଠି ଛାଡି ଯାଇଛନ୍ତି। ତେବେ ନିକଟରେ ଥିବା ଗାଁ ମଙ୍ଗାପେଟାଠାରେ ଏଏସ୍‌ଆଇଙ୍କ ଗାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସହିଦ ଯବାନଙ୍କ ମର ଶରୀରକୁ ବିଜାପୁର ଅଣାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଛି। ପରେ ତାଙ୍କ ଘରକୁ ମର ଶରୀର ପଠାଯାଇଛି। ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।