ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍‌ ଇଣ୍ଡିଆ ରନର୍ସଅପ୍‌: ଏମିତି ଥିଲା ସଂଘର୍ଷର କାହାଣୀ

ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ବିଜେତା ଭାବରେ ମନୋନୀତ କରାଯାଇଛି। ହରିୟାଣାର ମନିକା ଶୋକାଣ୍ଡଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ଘୋଷିତ ହୋଇଥିବାବେଳେ ମନ୍ୟା ସିଂ ଏହି ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇଥିଲେ।

ମନ୍ୟା ଉତ୍ତରପ୍ରଦେଶର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ। ଏହି ବିଜୟ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ବହୁ ବର୍ଷର ପରିଶ୍ରମ ପରେ ସେ ଏହା ହାସଲ କରିଛନ୍ତି। ସଂଘର୍ଷ ବିଷୟରେ କୁଶୀନଗରରେ ଜନ୍ମ ହୋଇଥିବା ମନ୍ୟା ନିଜର ଏକ ପୋଷ୍ଟରେ କହିଛନ୍ତି, ସେ କଠିନ ପରିସ୍ଥିତିରେ ବଢ଼ିଛନ୍ତି। ନ ଖାଇ ରାତି ବିତାଇଛନ୍ତି। ଅଳ୍ପ କିଛି ଟଙ୍କା ସଞ୍ଚୟ କରିବା ପାଇଁ ମାଇଲ ମାଇଲ ବାଟ ଚାଲିଛନ୍ତି। ଏକଦା ସେ କିଛି ପୋଷାକ ଓ ବହି କିଣିବାକୁ ଚାହୁଁଥିଲା ବେଳେ ତାହା କରି ପାରି ନ ଥିଲେ। ତାଙ୍କ ପିତାମାତା ମନ୍ୟାଙ୍କ ପରୀକ୍ଷା ଫି ଦେବାକୁ ତାଙ୍କ ଅଳଙ୍କାର ବନ୍ଧକ ରଖିଥିଲେ।

ମିସ୍‌ ଇଣ୍ଡିଆ ପକ୍ଷରୁ ଗତ ମାସରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ତାଙ୍କ ବିଷୟରେ କୁହାଯାଇଥିଲା, ମନ୍ୟା ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହା ସର୍ବଦା ପାଖରେ ରହିଥାଏ ବୋଲି ବିଶ୍ୱାସ କରନ୍ତି।

ପରବର୍ତ୍ତୀ ପୋଷ୍ଟରେ ଦର୍ଶାଯାଇଛି ଯେ, ସେ ତାଙ୍କ ଏଚ୍‌ଏସ୍‌ସି ସମୟରେ ଶ୍ରେଷ୍ଠ ଛାତ୍ର ପୁରସ୍କାର ପାଇଛନ୍ତି। ଆଜି ପର୍ଯ୍ୟନ୍ତ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ଜଣେ ଅଟୋ ଡ୍ରାଇଭରରଙ୍କ ଝିଅ ଭାବରେ ବହି ଖର୍ଚ୍ଚ ନ ଉଠାଇପାରିବାରୁ ସେ ସ୍କୁଲ୍‌ ବେଳେ ମଧ୍ୟ ଅବହେଳିତ ହୋଇଛନ୍ତି।

ଡିସେମ୍ବରରେ ମିସ୍‌ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟରେ ସେ କହିଛନ୍ତି ଯେ, ମୋର ରକ୍ତ, ଝାଳ ଏବଂ ଲୁହ ମୋର ସ୍ବପ୍ନକୁ ସାକାର କରିବାକୁ ସାହସ ଦେଖାଇଛି।

Share