ଅନେକ କଥା ଓ ବ୍ୟଥା

ପରିବାରବାଦ ବିଷୟରେ ଆଲୋଚନା କରିବା ପୂର୍ବରୁ ସଦ୍ୟ ସମାପ୍ତ ଏସିଆନ ଗେମ୍ସର ପଦକ ବିଜେତା ହରମିଲନ ବେନ୍ସଙ୍କ କଥା ମନକୁ ଆସେ। ସେ ୮୦୦ ଓ ୧୫୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ୨୦୦୨ ଏସିଆନ ଗେମ୍ସରେ ୮୦୦ ମିଟର ଦୌଡ଼ର ରୌପ୍ୟପଦକ ବିଜେତା ମାଧୁରୀ ସାକ୍ସେନା ଓ ସାଉଥ ଏସିଆନ ଗେମ୍ସ ପଦକ ବିଜେତା ଅମନଦୀପ ସିଂ ବେନ୍ସଙ୍କ ୨୫ ବର୍ଷୀୟା କନ୍ୟା ହେଲେ ହରମିଲନ । ୫୦୦୦ ମିଟର ଜାତୀୟ ରେକର୍ଡର ଅଧିକାରିଣୀ ହୋଇ ୧୯୯୬ରୁ ପଞ୍ଜାବ ରାଜ୍ୟ ବିଦ୍ୟୁତ୍‌ ବୋର୍ଡରେ କାମ କରୁଥିବା ବେଳେ ଏକ ଅଭିଯୋଗର ଶିକାର ହୋଇ ୩ ମାସର ଗର୍ଭବତୀ ଥିବା ମାଧୁରୀ ନିଜକୁ ପ୍ରମାଣିତ କରିବା ପାଇଁ ଦୌଡ଼ିଥିଲେ। ତେଣୁ ମାଧୁରୀ କହନ୍ତି, ହରମିଲନଙ୍କ ପ୍ରଶିକ୍ଷଣ ଗର୍ଭାବସ୍ଥାରେ ଆରମ୍ଭ ହେଇଥିଲା ଯାହା ଆଜି ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଅଧିକନ୍ତୁ, ତାଙ୍କର ୧୭ ବର୍ଷର ପୁଅ ସନ୍ଦୀପ ସିଂ ବେନ୍ସ ୧୦ ମିଟର ରାଇଫଲ ଶୁଟିଂ ପାଇଁ ଏବେ ଅଭ୍ୟାସରତ ଥିବାରୁ ତାଙ୍କର ପୂରା ପରିବାର ଖେଳ ପାଇଁ ଉତ୍ସର୍ଗୀକୃତ। ଅତଏବ, ଜଣକର ପାରିବାରିକ ପୃଷ୍ଠଭୂମି ତା’ର ଭବିଷ୍ୟତ ଗଢ଼ିବାରେ ଯେ ଯଥେଷ୍ଟ ମହତ୍ତ୍ୱ ରଖେ, ଏଥିରେ ସନ୍ଦେହ ନାହିଁ ଯାହା ହରମିଲନଙ୍କ ସଫଳତାରୁ ପ୍ରମାଣିତ।
ହରମିଲନଙ୍କ ସଫଳତାରୁ ମହାଭାରତର ଅଭିମନ୍ୟୁଙ୍କ ଜନ୍ମବୃତ୍ତାନ୍ତ ମନେପଡ଼େ। ଶ୍ରେଷ୍ଠ ଧନୁର୍ଦ୍ଧର ମହାଯୋଦ୍ଧା ତୃତୀୟ ପାଣ୍ଡବ ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ଭଗିନୀ ବୀରାଙ୍ଗନା ସୁଭଦ୍ରାଙ୍କ ସୁପୁତ୍ର ଅଭିମନ୍ୟୁ ମାତୃଗର୍ଭରୁ ଚକ୍ରବୂ୍ୟହ ଭେଦ ବିଦ୍ୟା ଶିଖିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଏହାସହ ମାମୁ କୃଷ୍ଣ ବଳରାମ ଓ ଯାଦବ ସେନାଙ୍କଠାରୁ ଯୁଦ୍ଧବିଦ୍ୟା ଆହରଣ କରିଥିଲେ ବୋଲି ମହାଭାରତରେ ଉଲ୍ଲେଖ ଅଛି । ଯିଏ ଯେଉଁ ପରିବେଶରେ ବଢ଼ିବ, ପଢ଼ିବ, ତା’ର ଚରିତ୍ର ଓ ଭବିଷ୍ୟତ ସେହିଭଳି ଗଢ଼ିହେବ। ତେଣୁ ଯୋଦ୍ଧାର ସନ୍ତାନ ଯୋଦ୍ଧା ହେବାରେ କିଛି ଅସ୍ବାଭାବିକତା ନାହିଁ। ଯାହା ବାପ ଘୋଡ଼ାଚଢ଼ା, ତା’ର ପୁଅ ଥୋଡ଼ା ଥୋଡ଼ା। ପିତାମାତା, ଗୁରୁ, ଗୁରୁଜନଙ୍କ ଭଳି ଆଖପାଖରେ ଥିବା ଶ୍ରେଷ୍ଠ ପୁରୁଷମାନେ ଯେଉଁ ଆଚରଣ କରନ୍ତି ବା ଯାହା କିଛି ପ୍ରମାଣ କରନ୍ତି, ଲୋକେ ତାକୁ ଅନୁସରଣ କରନ୍ତି। ଶ୍ରୀମଦ୍ଭଗବଦ୍‌ ଗୀତା (୩/୨୧) କହନ୍ତି, ”ଯଦ୍ୟଦା ଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ, ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ।“ ଅତଏବ, ଖେଳାଳିଙ୍କ ପିଲାମାନେ ଖେଳାଳି ହେବାରେ, ଚିତ୍ରଶିଳ୍ପୀଙ୍କ ପିଲାମାନେ ଚିତ୍ରଶିଳ୍ପୀ ହେବାରେ, ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପିଲାମାନେ ସେହି କ୍ଷେତ୍ରକୁ ଆପଣେଇବାରେ, ଡାକ୍ତରୀ, ଇଞ୍ଜିନିୟରିଂ, ଅଧ୍ୟାପନା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପିଲାମାନେ ସେହିସବୁ ନିର୍ଦ୍ଦିଷ୍ଟ ବୃତ୍ତିରେ ରୁଚି ରଖିବାରେ, ବ୍ୟବସାୟୀଙ୍କର ପିଲାମାନେ ଭବିଷ୍ୟତରେ ନିଜ ପାରିବାରିକ ବ୍ୟବସାୟର ଦାୟିତ୍ୱ ସମ୍ଭାଳିବାରେ ଏବଂ ସର୍ବୋପରି ରାଜନେତାମାନଙ୍କ ପିଲାମାନେ ରାଜନୀତିକୁ ନିଜର ପେସା କରିବା ନିହାତି ସ୍ବାଭାବିକ। କାରଣ, ପରିବାର ହିଁ ଗୋଟେ ଶିଶୁର ପ୍ରାରମ୍ଭିକ ଶିକ୍ଷାକ୍ଷେତ୍ର ଓ ମାତାପିତା ପ୍ରଥମ ସାଙ୍ଗସାଥୀ ହୋଇଥିବାରୁ ନିଜ ପରିବାରର ରୀତିନୀତି, ଚାଲିଚଳନ, କାମଧନ୍ଦା ସବୁ କିଛି ତା’ର ରୁଚିକୁ ଯଥେଷ୍ଟ ପ୍ରଭାବିତ କରିଥାଏ। କିନ୍ତୁ ସ୍ବତଃପ୍ରବୃତ୍ତ ଭାବେ ପାରିବାରିକ ବୃତ୍ତି ବା ପେସାକୁ ଆପଣେଇ ଆଗକୁ ବଢ଼ିଲେ ତାକୁ ପରିବାରବାଦର ଆଖ୍ୟା ଦେବା ସମୀଚୀନ ନୁହେଁ। ଅବଶ୍ୟ ଏ କଥାରେ ଆଦୌ ଦ୍ୱିମତ ନାହିଁ ଯେ କୌଣସି ନିର୍ଦ୍ଦିଷ୍ଟ ପେସା ବା ବୃତ୍ତିରେ ଥାଇ ଯୋଗ୍ୟତା ଓ ରୁଚି ନ ଥିବା ନିଜର ସମ୍ପର୍କୀୟମାନଙ୍କୁ ଅପ୍ରତ୍ୟାଶିତ ଭାବେ ସେହି କ୍ଷେତ୍ରରେ ପ୍ରୋତ୍ସାହିତ କରି ବିଭିନ୍ନ ସୁବିଧାସୁଯୋଗ ଓ ପଦପଦବୀ ପ୍ରଦାନ ପୂର୍ବକ ଲାଭଦାୟୀ କରେଇବା ହିଁ ପରିବାରବାଦ ବା ବଂଶବାଦର ଅସଲ ପରିଭାଷା।
ହରମିଲନଙ୍କ ସଫଳତାକୁ ପରିବାରବାଦର ଆଖ୍ୟା ଦେବା ସମ୍ପୂର୍ଣ୍ଣ ଭୁଲ୍‌। ୭୫ଟି ପରିବାର ବିଶିଷ୍ଟ ଉତ୍ତରପ୍ରଦେଶର ଏକ ଛୋଟ ଗାଁ ମାଧୋପଟିରୁ କେନ୍ଦ୍ର ଲୋକ ସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏ ଯାବତ ୪୭ ଜଣ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଓ ଆଇଆର୍‌ଏସ୍‌ ଅଧିକାରୀ ଭାବେ କାର୍ଯ୍ୟରତ। କେବଳ ବିନୟ ସିଂ(ବିହାରର ପୂର୍ବତନ ମୁଖ୍ୟ ଶାସନ ସଚିବ)ଙ୍କ ପରିବାରର ୫ ଭାଇ ଏହି ବିରଳ ସଫଳତାର ଅଧିକାରୀ। ପ୍ରଥମ ମହିଳା ଆଇଏଏସ୍‌ ଟପ୍ପର (୨୦୦୩) ଓଡ଼ିଶାର ରୂପା ମିଶ୍ର ମଧ୍ୟ ସେହିଭଳି ଏକ ପରିବାରରେ ଜନ୍ମ। ସେହିପରି ସୁନୀଲ ଗାଭାସ୍କର କିମ୍ବା ସଚିନ ତେନ୍ଦୁଲକରଙ୍କ ପିଲାମାନେ କ୍ରିକେଟ ଖେଳିବା, ସମ୍ପୂର୍ଣ୍ଣ କପୁର ଖାନ୍‌ଦାନ ସହ ଧର୍ମେନ୍ଦ୍ର, ଜିତେନ୍ଦ୍ରଙ୍କ ଭଳି ଅନେକ ପରିବାର ଚଳଚ୍ଚିତ୍ର ଓ ମନୋରଞ୍ଜନ ଶିଳ୍ପରେ ରାଜ୍‌ କରିବା, ବିର୍ଲା, ଅମ୍ବାନୀଙ୍କ ଭଳି ଅନେକ ପ୍ରତିଷ୍ଠିତ ଶିଳ୍ପପତି ଓ ବ୍ୟବସାୟୀ ବଂଶାନୁକ୍ରମିକ ଭାବେ ସେମାନଙ୍କର ବ୍ୟବସାୟକୁ ଆଗକୁ ବଢ଼ାଇବାକୁ କେହି ପରିବାରବାଦର ଆଖ୍ୟା ଦେଇ ସମାଲୋଚନା କରୁନାହାନ୍ତି।
ଭାରତ ବ୍ୟତୀତ ପରିବାରବାଦର ଚେର ଇଣ୍ଡୋନେସିଆ, ମରିସସ୍‌, ମାଲେସିଆ, ରୋମାନିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ପେନ୍‌, ୟୁକେ, ଆମେରିକା, ଭେନେଜୁଏଲା ଓ ଜିମ୍ବାୱେ ଭଳି ବହୁ ରାଷ୍ଟ୍ରରେ କାୟାବିସ୍ତାର କରିଛି। କିନ୍ତୁ ବର୍ତ୍ତମାନ ଭାରତବର୍ଷର ରାଜନୈତିକ କ୍ଷେତ୍ରରେ ପରିବାରବାଦକୁ ନେଇ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ରାଜନୈତିକ ବାତାବରଣ ଏବେ ବ୍ୟକ୍ତିକୈନ୍ଦ୍ରିକ ଆରୋପ ପ୍ରତ୍ୟାରୋପରେ ଭରପୂର ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଉଦାହରଣ ସ୍ବରୂପ, ଏକ ରାଜନୈତିକ ପରିବାରରୁ ଆସିଥିବା ରାହୁଲ ଗାନ୍ଧୀ ରାଜନୀତିରେ ଆଗକୁ ବଢ଼ିବା ପରିବାରବାଦ ବୋଲି ଜୋର୍‌ଦାର ଅପପ୍ରଚାର କରାଯାଉଛି, ଯାହା ନିଶ୍ଚିତ ଭାବେ ଅଶୋଭନୀୟ ।
ଏଠି କହି ରଖିବା ଉଚିତ ହେବ ଯେ ଏ ଲେଖକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ରାଜନୈତିକ ଦଳର ସମର୍ଥକ ନୁହନ୍ତି। କହିବାର କଥା, ପରିବାରବାଦ ରାଜନୀତିଠୁ ଆରମ୍ଭକରି, ଖେଳକୁଦ, ମନୋରଞ୍ଜନ, ଅଧ୍ୟାପନା, ବ୍ୟବସାୟ, ନ୍ୟାୟପାଳିକା, ସାଙ୍ଗଠନିକ, ନିଯୁକ୍ତି ଓ ଧର୍ମୀୟ କ୍ଷେତ୍ରାଦିରେ ଦୃଷ୍ଟିଗୋଚର ହେଉଛି।
ଭାରତରେ ପରିବାରବାଦର ଯେଉଁ ନୂଆ ପରିଭାଷା ସୃଷ୍ଟି କରାଯାଉଛି, ତାହା ଅଧିକାଂଶ ଜନସାଧାରଣଙ୍କୁ ବ୍ୟଥିତ କରିବା ସହ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ବିରୋଧାଭାସ କରୁଛି। ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ନ୍ୟାୟରେ କିଛି ନିର୍ଦ୍ଦିଷ୍ଟ ଦଳର ଅନେକ ନେତାଙ୍କ ପୁଅ ପୁତୁରା, ଜ୍ଞାତିକୁଟୁମ୍ବ ପଛ ଦରଜାରେ ରାଜନୀତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରବେଶକରି ବହୁ ଲାଭଦାୟକ ପଦପଦବୀରେ ଅବସ୍ଥାପିତ। ଯୋଗ୍ୟତା ନ ଥାଇ ସେମାନେ ଅଖଣ୍ଡ କ୍ଷମତାର ଅଧିକାରୀ । ଶେଷରେ କହିରଖିବା ଉଚିତ ହେବ ଯେ କେବଳ କେତୋଟି ଜାତୀୟ ଦଳ ନୁହନ୍ତି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରୀୟ ଲୋକଦଳ, ସମାଜବାଦୀ ପାର୍ଟି, ଶିବସେନା, ତେଲଙ୍ଗାନା ରାଷ୍ଟ୍ର ସମିତି, ଶିରୋମଣି ଅକାଳି ଦଳ, ଡିଏମ୍‌କେ, ଜନତା ଦଳ(ସେକୁଲାର), ଜେଏମ୍‌ଏମ୍‌, ଏନ୍‌ସିପି, ଏନ୍‌ପିପି, ଜମ୍ମୁ କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ, ଜମୁ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଓ ଇଣ୍ଡିଆନ ନ୍ୟାଶନାଲ ଲୋକଦଳ ଭଳି ଅନେକ ଆଞ୍ଚଳିକ ରାଜନୈତିକ ଦଳ ବଂଶବାଦର ରାଜନୀତିରେ ନିପୁଣ। ତେଣୁ ପରିବାରବାଦ ଆଳରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିଶାଣ କରା ନ ଯାଉ କିମ୍ବା ଭାରତର ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ କଳୁଷିତ କରା ନ ଯାଉ। ଯୋଗ୍ୟ ବ୍ୟକ୍ତି ପାଇଁଁ ପରିବାରବାଦର କଳଙ୍କ ମୂଲ୍ୟହୀନ। କେବଳ ରାଜନୀତି ନୁହେଁ, ସବୁ କ୍ଷେତ୍ରରେ ଯୋଗ୍ୟତାର ସୁସ୍ବାଗତ ହେବା ବିଧେୟ।

  • ବୃହସ୍ପତି ସାମଲ
    ପଦ୍ମପୁର, କେନ୍ଦୁଝର
    ମୋ:୯୪୩୭୦୨୨୬୬୯

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri