ନୂଆଦିଲ୍ଲୀ,୨୩ା୬: ଏନ୍ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ ପରୀକ୍ଷା କରାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ଦ୍ୱିତୀୟ ସୁଯୋଗ ମିଳିଲା। କିନ୍ତୁ ରବିବାର ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ସମୟରେ ୨ ମିନିଟ୍ ବିଳମ୍ବ କରିଥିବା କେତେଜଣ ପିଲାଙ୍କୁ ପରୀକ୍ଷା ହଲ୍ରେ ପ୍ରବେଶ ଅନୁମତି ମିଳିଲା ନାହିଁ। ଫଳରେ ଡାକ୍ତରୀ ଶିକ୍ଷା ଆଶାୟୀ ଅନେକ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ମୋଟରସାଇକେଲ ପଙ୍କଚର ହେବା କାରଣରୁ ଜଣେ ଛାତ୍ରୀ ବିଦିଶାସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ୨ ମିନିଟ୍ ବିଳମ୍ବ ହୋଇଥିଲା। ତାଙ୍କୁ ହଲ୍ରେ ପ୍ରବେଶ ଅନୁମତି ମିଳିଲା ନାହିଁ। ତାଙ୍କ ବାପା ପରୀକ୍ଷା କେନ୍ଦ୍ର ବାହାରେ କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆର ଭାଇରାଲ ହୋଇଛି। ପରେ ଛାତ୍ରୀ ଜଣଙ୍କୁ ଭିତରକୁ ଛଡ଼ାଯାଇଥିଲେ ମଧ୍ୟ ବାୟୋମେଟ୍ରିକ୍ ଯାଞ୍ଚ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇ ନ ପାରିବାରୁ ସେ ପରୀକ୍ଷା ଦେଇପାରିଲେ ନାହିଁ। ସେହି ବିଦିଶା ପରୀକ୍ଷା କେନ୍ଦ୍ରରେ ଅନ୍ୟ ୨ ଜଣ ପିଲା ମଧ୍ୟ ପରୀକ୍ଷା ଦେଇପାରି ନାହାନ୍ତି। ଜଣେ ପିଲା କିଛି ସମୟ ବିଳମ୍ବରେ ପହଞ୍ଚିବାବେଳେ ଅନ୍ୟ ଜଣକ ବାତିଲ ହୋଇଥିବା ଏନ୍ଇଇଟି ପରୀକ୍ଷାର ଆଡମିଟ୍ କାର୍ଡ ଆଣିଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳି ନ ଥିଲା।
ସେହିପରି ତେଲଙ୍ଗାନାର ଜଗିତିଆଲ ଜିଲାରେ ଜଣେ ଛାତ୍ରୀଙ୍କୁ ପରୀକ୍ଷା ହଲ୍ରେ ପ୍ରବେଶ ଅନୁମତି ମିଳି ନ ଥିଲା। ଛାତ୍ରୀଙ୍କ ମାଆ ସୁରକ୍ଷା କର୍ମୀଙ୍କ ପାଦତଳେ ପଡ଼ି ନେହୁରା ହେଉଥିବାର ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କୁ ପ୍ରଥମେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିଥିଲା। କିନ୍ତୁ ତାଙ୍କ ଆଡମିଟ୍ କାର୍ଡରେ ଅନ୍ୟ ପରୀକ୍ଷା କେନ୍ଦ୍ର ଥିବାରୁ ତାଙ୍କୁ ପୁଣିଥରେ ଆଡମିଟ୍ କାର୍ଡ ଡାଉନ୍ଲୋଡ଼ କରିବାକୁ କୁହାଗଲା। ସେ ଠିକ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିବାରୁ ପ୍ରବେଶ ଅନୁମତି ମିଳିଲା ନାହିଁ ଓ ସେ ପରୀକ୍ଷାରୁ ବଞ୍ଚିତ ହେଲେ। ଭୋପାଳରେ ଜଣେ ଛାତ୍ର ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିଳମ୍ବରେ ପହଞ୍ଚିଲେ। ତାଙ୍କୁ ପରୀକ୍ଷା ହଲ୍କୁ ଛଡ଼ାଗଲା ନାହିଁ। ବେଙ୍ଗାଲୁରୁରେ ଅପରହ୍ନ ୧ଟା ୩୦ ପରେ ପହଞ୍ଚିବା ୩ ଜଣ ଛାତ୍ରୀ ସରକାରୀ ରାମନାରାୟଣ କଲେଜ ମୁଖ୍ୟ ଗଟ୍ରେ ଚଢ଼ିଥିବା ଦେଖାଯାଇଥିଲା। ଏକ ରାଜନୈତିକ ଦଳର ରାଲି ଯୋଗୁ ଟ୍ରାଫିକ୍ ଜାମ୍ରେ ସେମାନେ ଫସିଯାଇଥିଲେ। ସମସ୍ତ ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା ନାହିଁ। ଏହାକୁ ନେଇ ବେଙ୍ଗାଲୁରୁରେ ରାଜନୀତି ଜୋର୍ ଧରିଛି।