Categories: ଖେଳ

ଆଇପିଏଲ ପୂର୍ବରୁ ଟିକା ନେବାକୁ ମନା କରିଥିଲେ ଖେଳାଳି

ମୁମ୍ବାଇ,୧୬।୫: କୋଭିଡ୍‌-୧୯ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୦୨୧ ସିଜନ ସ୍ଥଗିତ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ରୁଟି ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଦେଶର ଅଗ୍ରଣୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଟୁର୍ନାମେଣ୍ଟ ପୂର୍ବରୁ ବହୁ ଖେଳାଳି ଟିକା ନେବାକୁ ମନା କରି ଦେଇଥିଲେ। ଟିକା ନେବା ପରେ ଜ୍ୱର ଓ ଶରୀର ପୀଡ଼ା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଖେଳାଳିମାନେ ମନା କରିଥିଲେ।

ଖେଳାଳିମାନଙ୍କୁ ଟିକା ନେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେମାନେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏଥି ଲାଗି ଖେଳାଳିଙ୍କୁ ଦୋଷ ଦେଇହେବ ନାହିଁ। ସଚେତନତା ଅଭାବରୁ ସେମାନେ ଏଭଳି କରିଥିଲେ। ବାୟୋ ବବଲକୁ ଯଥେଷ୍ଟ ସୁରକ୍ଷିତ ମନେ କରି ଖେଳାଳିମାନେ ଟିକା ନେବାର ଆବଶ୍ୟକତା ଅନୁଭବ କରି ନ ଥିଲେ। ଆଉ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ ଫ୍ରାଞ୍ଚାଇଜମାନେ। ହଠାତ୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ପରିସ୍ଥିତି ବୋଲି ସୂତ୍ରରୁ କୁହାଯାଇଛି। ଆଇପିଏଲର ବଳକା ୩୧ ମ୍ୟାଚ୍‌କୁ ସେପ୍ଟେମ୍ବରରେ ଭାରତ ବାହାରେ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିିସିଆଇ।

Share