ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ବରିଷ୍ଠ ନେତା ମାଣିକ ଚକ୍ରବର୍ତ୍ତୀ, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ, ପଡ଼ିଆ ମଣ୍ଡଳ ସଭାପତି କାଟାମ ବାଲାୟା, ଏମ୍‌ପି ପ୍ରତିନିଧି ପି. ଭେଙ୍କଟ ରାଓ ଏସଟି ମୋର୍ଚ୍ଚା ସଭାପତି ଦେବା ମାଡକାମି, ପଡ଼ିଆ ବ୍ଲକ ବିଧାୟକ ପ୍ରତିନିଧି ମନଦିପନ ରାୟ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଏହି ମିଶ୍ରଣ ପର୍ବରେ ୮୦ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସର ସକ୍ରିୟ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ପଡ଼ିଆ ବ୍ଲକର ୮ଟି ପଞ୍ଚାୟତର ସରପଞ୍ଚ, ଓ୍ବାର୍ଡମେମ୍ବର, ଓ ବରିଷ୍ଠ ନେତା ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲାର ବିଭିନ୍ନ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟ ଚାଲୁଅଛି। ବିଶେଷକରି ଗ୍ରାମାଞ୍ଚଳର ଉନ୍ନତି, ତଥା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଅବଗତ କରାଇବା ସହ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାରେ ସଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନୀତିରେ ଅନୁପ୍ରାଣିତ ହୋଇ ଜନସାଧାରଣ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ଭାଜପାରେ ସାମିଲ ହେଉଥିବା ବିଧାୟକ ମାଡକାମି ପ୍ରକାଶ କରିଛନ୍ତି। ଏହି ଅବସରରେ ନୂତନ କର୍ମୀମାନଙ୍କୁ ଭାଜପା ପତାକା, ଉପଢୌକନ ଓ ଟୋପି ପିନ୍ଧାଇ ଦଳ ତରଫରୁ ସ୍ବାଗତ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share