‘ପୃଥ୍ୱିରାଜ’ଠାରୁ ବଡ ଡେବ୍ୟୁ ମୋର ହୋଇ ପାରି ନ ଥାଆନ୍ତା: ମାନୁଷି

ମୁମ୍ବାଇ: ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ମହାକାବ୍ୟ ଆକ୍ସନ ଡ୍ରାମା ଫିଲ୍ମ ‘ପୃଥ୍ୱିରାଜ’ର ଟିଜର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି । ଏହି ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର । ସେ ପୃଥ୍ୱିରାଜ ଭୂମିକାରେ ଅଭିନୟ କରିଥିବା ବେଳେ ୨୦୧୭ର ମିସ୍ ୱାର୍ଲଡ ମାନୁଷି ଚିଲ୍ଲର ରାଜକୁମାରୀ ସଂୟୋଗୀତା ଭୂମିକାରେ ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ମାନୁଷି କହିଛନ୍ତି ‘ପୃଥ୍ୱିରାଜ’ଠାରୁ ତାଙ୍କୁ ବଡ ଡେବ୍ୟୁ ହୁଏତ ମିଳି ନ ଥାଆନ୍ତା । ଏଥିରେ ସେ ୟଶରାଜ ଫିଲ୍ମକୁ ଧନ୍ୟବାଦ ଦେବା ସହ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଯେ ଗୋଟିଏ ଐତିହାସିକ କ୍ୟାରେକ୍ଟରରେ ଅଭିନୟ କରିପାରିବେ ଏହା ନିର୍ଦ୍ଦେଶକଙ୍କୁ ଠିକ୍ ଲାଗିଲା ତାହା ତାଙ୍କ ପାଇଁ ବଡ ଉପହାର ବୋଲି ମାନୁଷି କହିଛନ୍ତି । ତେବେ ଏହି ଚରିତ୍ର ପାଇଁ ସେ ତାଙ୍କର ସମସ୍ତ ପରିଶ୍ରମ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ତାଙ୍କ ପରିବାରକୁ ଗୌରାବାନ୍ୱିତ କରିବ ବୋଲି ମାନୁଷି ଆଶା ରଖିଛନ୍ତି । ମାନୁଷି ଆଶା ରଖିଛନ୍ତି ଯେ ପୃଥ୍ୱିରାଜ ଦର୍ଶକଙ୍କୁ ପ୍ରତିଷ୍ଠିତ ପ୍ରେମ, ମହାନ ବୀରତା, ଓ ଅଦମ୍ୟ ସାହସର କାହାଣୀ କହିବା ସହ ମନୋରଞ୍ଜନ ବି ଦେବ । ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିବ ବୋଲି ମଧ୍ୟ ସେ ଆଶା କରିଛନ୍ତି । ସୂଚନାଯୋଗ୍ୟ, ୨୦୨୨, ଜାନୁୟାର ୨୧ରେ ଏହା ପରଦାକୁ ଆସିବ ।

Share