Categories: ଜାତୀୟ

୩୫ ଟଙ୍କା ଫେରସ୍ତ ପାଇଁ ୫ ବର୍ଷ ଲଢ଼ିଲେ

ନୂଆଦିଲ୍ଲୀ, ୩୧ା୫: ରାଜସ୍ଥାନର କୋଟା ସହର ବାସିନ୍ଦା ତଥା ଇଞ୍ଜିନିୟର ସୁଜିତ ସ୍ବାମୀ ରେଳ ଟିକେଟ କ୍ୟାନ୍‌ସେଲ ବାବଦ ସର୍ଭିସ ଟ୍ୟାକ୍ସ ୩୫ ଟଙ୍କା ପାଇବା ପାଇଁ ୫ ବର୍ଷ ଧରି ଜାରି ରଖିଥିବା ଲଢ଼େଇରେ ଜିତିଛନ୍ତି। ଏଥିସହ ତାଙ୍କ ଭଳି ଅର୍ଥ ଫେରସ୍ତ ଚାହୁଁଥିବା ଲୋକଙ୍କ ପାଇଁ ରାସ୍ତା ଫିଟିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ୨ ଲକ୍ଷ ୯୮ ହଜାର ଆଇଆର୍‌ସିଟିସି ୟୁଜର୍ସଙ୍କୁ ରେଲ୍‌ଓ୍ବେ ପକ୍ଷରୁ ଟଙ୍କା ଫେରାଯିବ। ଏଥିପାଇଁ ମୋଟ ୨ କୋଟି ୪୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।
କହିଛନ୍ତି, ୨୦୧୭ ଏପ୍ରିଲରେ ସେ ରାଜସ୍ଥାନରୁ ଦିଲ୍ଲୀ ପାଇଁ ଟିକେଟ କାଟିଥିଲେ। ତାଙ୍କ ଗସ୍ତ ତାରିଖ ଥିଲା ଜୁଲାଇ ୨। ଅର୍ଥାତ ଏହା ପୂର୍ବଦିନ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହୋଇଥିଲା। କିନ୍ତୁ ଜିଏସ୍‌ଟି ବ୍ୟବସ୍ଥା ଆସିବା ପୂର୍ବରୁ ସେ ତାଙ୍କ ଟିକେଟ ବାତିଲ କରିଦେଇଥିଲେ। ଟିକେଟର ମୂଲ୍ୟ ୭୬୫ ଟଙ୍କା ଥିବାବେଳେ ରେଲ୍‌ଓ୍ବେ ତାଙ୍କୁ ୬୬୫ ଟଙ୍କା ଫେରାଇଥିଲା। କ୍ୟାନ୍‌ସେଲେଶନ ଚାର୍ଜ ପାଇଁ କେବଳ ୬୫ ଟଙ୍କା କାଟିବାର ନିୟମ ଥିବାବେଳେ ରେଲ୍‌ଓ୍ବେ ସର୍ଭିସ୍‌ ଟ୍ୟାକ୍ସ ବାବଦ ୩୫ ଟଙ୍କା ମିଶାଇ ମୋଟ ୧୦୦ ଟଙ୍କା ଫେରସ୍ତ କରି ନ ଥିଲା। ୩୫ ଟଙ୍କା ଫେରିପାଇବା ଦାବିରେ ସେ ଆଇନ ଅନୁସାରେ ଲଢ଼େଇ ଆରମ୍ଭ କରିଥିଲେ। ଏଥିପାଇଁ ସେ ପ୍ରାୟ ୫୦ ଆର୍‌ଟିଆଇ ଆବେଦନ କରିଥିଲେ। ଏ ସମ୍ପର୍କରେ ସେ ୩ ସରକାରୀ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ। ଟୁଇଟ୍‌ କରି ସେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଜିଏସ୍‌ଟି କାଉନସିଲ ସମେତ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିଥିଲେ। ୨୦୧୯ ମେ ୧ରେ ତାଙ୍କ ଆକାଉଣ୍ଟକୁ ୩୩ ଟଙ୍କା ଫେରିଥିଲା। ହେଲେ ଆଉ ୨ ଟଙ୍କା ପାଇଁ ସେ ପୁଣି ଆର୍‌ଟିଆଇରେ ଆବେଦନ ସହ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଗତ ଶୁକ୍ରବାର ସେ ଆଉ ୨ ଟଙ୍କା ଫେରିପାଇଛନ୍ତି। ସେଥିମଧ୍ୟରୁ ସେ ୫୩୫ ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିଥିବା କହିଛନ୍ତି। ଏବେ ୨ ଲକ୍ଷ ୯୮ ହଜାର ଲୋକ ଟିକେଟ ବାତିଲ ବାବଦ ୩୫ ଟଙ୍କା ଲେଖାଏ ପାଇବେ ବୋଲି ଆଇଆର୍‌ସିଟିସି ଏହାର ଆର୍‌ଟିଆଇ ପ୍ରଶ୍ନର ଉତ୍ତର ରଖି କହିଥିବା ସୁଜିତ ଦାବି କରିଛନ୍ତି।

Share