Categories: ଖେଳ

ଭବିଷ୍ୟତରେ ଭାରତର ଅଧିନାୟକ ହୋଇପାରନ୍ତି ହାର୍ଦ୍ଦିକ: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୬।୪: ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ। ଡେବ୍ୟୁ ସିଜନରେ ଦଳ ୫ଟି ମୁକାବିଲା ଖେଳିଥିବା ବେଳେ ସେଥିରୁ ୪ଟି ଜିତିଛି। ଏଥିଯୋଗୁ ଦଳ ଅଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ତେବେ ଗୁଜରାଟର ଏହି ସଫଳତା ପଛରେ ଅଧିନାୟକଙ୍କ ହାର୍ଦ୍ଦିକଙ୍କ ପ୍ରମୁଖ ଭୂମିକା ରହିଛି। ବୋଲିଂ, ବ୍ୟାଟିଂ ହେଉ ଅବା ଅଧିନାୟକତ୍ୱ, ସବୁଥିରେ ହାର୍ଦ୍ଦିକ ପ୍ରଶଂସାର ପାତ୍ର ପାଲଟିଛନ୍ତି।

କ୍ରିକେଟ ବିଶେଷଜ୍ଞମାନେ ହାର୍ଦ୍ଦିକଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି। ଏହି କ୍ରମରେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ୍‌ ତଥା ପଶ୍ଚିମବଙ୍ଗର ମନ୍ତ୍ରୀ ମନୋଜ ତିଓ୍ବାରୀ ହାର୍ଦ୍ଦିକଙ୍କୁ ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମ୍‌ର ଆଗାମୀ ଅଧିନାୟକ ଭାବେ ଦେଖୁଥିବା କହିଛନ୍ତି।

କେକେଆର୍‌ ପକ୍ଷରୁ ଖେଳିଥିବା ମନୋଜ ଟୁଇଟ୍‌ କରି କହିଛନ୍ତି, ଯଦି କେବେ କ୍ରିକେଟର ଛୋଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ କିଏ ହେବ ବୋଲି ଚର୍ଚ୍ଚା ହୁଏ ତେବେ ସେ ହାର୍ଦ୍ଦିକ ହେବା ଉଚିତ। ଅଧିନାୟକ ଭାବେ ବିଚାରଧାରାକୁ ଦେଖିଲେ ଏଯାବତ ଯାହା ଦେଖିଛି, ବହୁତ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

Share