Categories: ଜାତୀୟ

ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଶପଥ ନେଲେ ମନୋଜ ସୋନି

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ବିଶିଷ୍ଟ ଶିକ୍ଷାବିତ୍‌ ମନୋଜ ସୋନି ମଙ୍ଗଳବାର କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ୨୦୧୭ ଜୁନ୍‌ ୨୮ରେ ୟୁପିଏସ୍‌ସି ସଦସ୍ୟ ଭାବେ ଯୋଗଦେଇଥିବାବେଳେ ୨୦୨୨ ଏପ୍ରିଲ ୫ରୁ ଏହାର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଆସୁଥିଲେ। କମିଶନ୍‌ର ସର୍ବବରିଷ୍ଠ ସଦସ୍ୟ ସ୍ମିତା ନାଗରାଜ ତାଙ୍କୁ ଅଧ୍ୟକ୍ଷ ଭାବେ ଶପଥ ପାଠ କରାଇଛନ୍ତି। ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌), ଭାରତୀୟ ବିଦେଶ ସେବା(ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌)ର ଅଫିସରମାନଙ୍କୁ ଚୟନ କରିବା ଲାଗି ସିଭିଲ୍‌ ସର୍ଭିସ ପରୀକ୍ଷା ୟୁପିଏସ୍‌ସି ପରିଚାଳନା କରିଥାଏ। ଅଧ୍ୟକ୍ଷଙ୍କ ବ୍ୟତୀତ କମିଶନରେ ସର୍ବାଧିକ ୧୦ ଜଣ ସଦସ୍ୟ ରହିଥାନ୍ତି। ଏବେ ୟୁପିଏସ୍‌ସିରେ ୫ ସଦସ୍ୟ ପଦ ଖାଲି ରହିଛି। ୟୁପିଏସ୍‌ସି ଅଧ୍ୟକ୍ଷ ନିଯୁକ୍ତ ହେବା ପୂର୍ବରୁ ସୋନି ୨୦୦୯ରୁ ୨୦୧୫ ଡ. ବାବାସାହେବ ଆମ୍ବେଡ୍‌କର ଓପନ ୟୁନିଭର୍ସିଟିର କୁଳପତି ଥିଲେ। ସେ ୨୦୦୫ରୁ ୨୦୦୮ ମହାରାଜା ସାୟାଜୀରାଓ ୟୁନିଭର୍ସିଟିର କୁଳପତି ଭାବେ କାର୍ଯ୍ୟ କରିଥିଲେ।

Share