Categories: ଭଦ୍ରକ

ସୂର୍ଯ୍ୟବଂଶୀଙ୍କ ପ୍ରଚାରରେ ମନମୋହନ

ଧାମନଗର,୧୫।୧୦(ସ୍ବ.ପ୍ର./ଡି.ଏନ.ଏ.): ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଛି। ଶୁକ୍ରବାର ନାମାଙ୍କନ ଦାଖଲର ଶେଷଦିନ ସୁଦ୍ଧା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ, ବିଜେଡିରୁ ଅବନ୍ତୀ ଦାସ, ସ୍ବାଧୀନ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରମୁଖ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଭାଜପା ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଗତ ୧୧ ତାରିଖରେ ନାମାଙ୍କନ ଦାଖଲ ସାରି ଲୋକସମ୍ପର୍କ ଅଭିଯାନ ଚାଲୁ ରଖିଛନ୍ତି। ନାମାଙ୍କନରେ ଆଗୁଆ ରହିଥିବା ବେଳେ ପ୍ରଚାରରେ ମଧ୍ୟ ଦୁଇପାଦ ଆଗରେ ରହିଛି ଭାଜପା। ଏଥିସହ ଭାଜପାର ହେଭିୱେଟ ନେତା ତାଙ୍କ ପାଇଁ ଗଁା ଗଁାରେ ବୁଲି ଭୋଟ ଭିକ୍ଷା ଆରମ୍ଭ କରି ଦେଇଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସୂର୍ଯ୍ୟବଂଶୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି। ସେହିପରି ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲା ପ୍ରଭାରୀ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ଧଳ, ଉଦୟ ନାରାୟଣ ମଲ୍ଲିକ, ସିପ୍ରା ବାଜପେୟୀ, ମନସ୍ମିତା ଖୁଣ୍ଟିଆ, ଜିଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି।