Categories: ଜାତୀୟ

ସିସୋଡିଆଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ: କେଜ୍ରିଓ୍ବାଲ୍‌

ଅହମ୍ମଦାବାଦ୍‌,୨୨।୮: ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଉନ୍ନତ ତଥା ମାଗଣା ଶିକ୍ଷା ଏବଂ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ମନୀଷ ସିସୋଡିଆ ସରକାରୀ ବିଦ୍ୟାଳୟରେ ସଂସ୍କାର ଆଣିଛନ୍ତି। ୭୦ ବର୍ଷ ଭିତରେ ଯାହା ହୋଇପାରି ନ ଥିଲା, ତାହା ସେ ୫ ବର୍ଷରେ କରିଦେଖାଇଛନ୍ତି। ଏପରି ବ୍ୟକ୍ତି ଭାରତ ରତ୍ନ ପାଇବା ଉଚିତ। ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ତାଙ୍କ ପରାମର୍ଶ ନେବା ପରିବର୍ତ୍ତେ ତାଙ୍କ ଘରେ ସିବିଆଇ ଚଢାଉ କରାଯାଇଛି। ଏହା ନିନ୍ଦନୀୟ।
ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଗୁଜରାଟର ଲୋକମାନେ ଅତ୍ୟନ୍ତ ଦୁଃଖିତ। ୨୭ ବର୍ଷ ପୁରୁଣା ଭାଜପା ସରକାରରେ ଅହଂକାର ଆସିଯାଇଛି। ଆମେ ଏକ ସକରାତ୍ମକ ଅଭିଯାନ ଚଳାଇ ବିଭିନ୍ନ ଶ୍ରେଣୀ ପାଇଁ କ’ଣ କରିବୁ ତାହା କହୁଛୁ। ଆମେ ରାଜ୍ୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ଦେଉଛୁ। ଗୁଜରାଟରେ ଏଏପି ସରକାର ଗଢିଲେ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରେ ନିଶ୍ଚିତ ପରିବର୍ତ୍ତନ ଆସିବ।

Share