Categories: ଜାତୀୟ

ମନୀଷ ସିସୋଡିଆ ଦେଶ ପାଇଁ ଜୀବନ ଦେଇପାରିବେ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଟିମ ତିହାର ଜେଲରେ ପହଞ୍ଚିଛି। ସିସୋଡିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ପକ୍ଷରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ମାର୍ଚ୍ଚ ୧୦ରେ ତାଙ୍କ ଜାମିନ ଶୁଣାଣି ହେବ।
ଇଡି ଦ୍ୱାରା ହୋଇଥିବା ଏହି ଅନୁସନ୍ଧାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମଙ୍ଗଳବାର କହିଛନ୍ତି, ସିସୋଡିଆ ବିଦ୍ୟାଳୟଗୁଡ଼ିକୁ ନବୀକରଣ କରିଛନ୍ତି। ଗରିବ ଲୋକଙ୍କୁ ଶିକ୍ଷା ଦେଇଛନ୍ତି। ମନୀଷ ଏବଂ ସତ୍ୟେନ୍ଦ୍ର ଜୈନ ଦେଶ ପାଇଁ ମଧ୍ୟ ନିଜ ଜୀବନ ଦେଇପାରନ୍ତି। ଦେଶର ପ୍ରଧାନମନ୍ତ୍ରୀ ଯେଉଁମାନେ ଦେଶକୁ ଲୁଟ୍‌ କରିଛନ୍ତି ସେମାନଙ୍କୁ ସମର୍ଥନ କରନ୍ତି, ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ କେହି ନାହାନ୍ତି। ମୁଁ ହୋଲି ଦିନ ସାରା ଦେଶ ପାଇଁ ପ୍ରାର୍ଥନା କରିବି … ଦେଶବାସୀ ମଧ୍ୟ ମୋ ସହିତ ଅଛନ୍ତି । ମୁଁ ଈଶ୍ୱରଙ୍କ ନିକଟରେ ଧ୍ୟାନ କରିବି।

ସୂଚନା ଅନୁଯାୟୀ, ଦୀର୍ଘ ୮ ଘଣ୍ଟିଆ ପଚରାଉଚରା ପରେ ସିସୋଡିଆକୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ୨୭ ଫେବୃଆରୀରେ ତାଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ପଚରାଉଚରା ପାଇଁ କୋର୍ଟ ସିସୋଡିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଥିଲେ। ସେପଟେ ସିସୋଡିଆ ମଧ୍ୟ ତାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହା ଶୁଣାଣି କରିବାକୁ ମନା କରିଦେଇଥିଲେ। ମାର୍ଚ୍ଚ ୪ରେ ସିସୋଡିଆ କୋର୍ଟରେ ହାଜର କରାଯାଇଥିଲା। ଜଜ ଏମ.କେ ନାଗପାଲ ତାଙ୍କୁ ଆଉ ଦୁଇ ଦିନ ସିବିଆଇ ହେପାଜତକୁ ପଠାଇଥିଲେ। ୨ ଦିନ ରିମାଣ୍ଡ ପରେ ସିସୋଡିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସୋମବାର ସିବିଆଇ ରିମାଣ୍ଡ ଶେଷ ହେବା ପରେ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିଲା। କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Share