ଭାଜପା ନେତାଙ୍କୁ ‘ଆନ୍ଧ୍ର ମଡେଲ’ ମନେପକାଇଲା ବିଜେଡି

ଭୁବନେଶ୍ୱର,୯ା୫(ବ୍ୟୁରୋ): ଓଡ଼ିଶାରେ ତାମିଲନାଡ଼ୁ ମଡେଲ ଶାସନ ଚାଲିଛି ଟିପ୍ପଣୀକୁ ନେଇ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନଙ୍କୁ ବିଜେଡି କଟାକ୍ଷ କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, ଜୀବନରେ ୱାର୍ଡ଼ମେମ୍ବର ଜିତି ପାରିନଥିବା ଭାଜପାର କୁହାଳିଆ ନେତା ପୃଥ୍ବୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି। ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ଼ ବଡ଼ କଥା କହୁଥିବା ପୃଥ୍ବୀରାଜ ବାବୁ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଗୋଟିଏ ଆନ୍ଧ୍ର ମଡେଲ୍‌ ମଧ୍ୟ ରହିଛି । ଯେଉଁ ମଡେଲରେ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଶୁଣିବାକୁ ମିଳୁଛି, ଏହି କେଳେଙ୍କାରୀକୁ ନେଇ ଫୌଜଦାରି ମାମଲା ମଧ୍ୟ ହେବାକୁ ଯାଉଛି। ଏଥିରେ ସମ୍ପୃକ୍ତ ଲୋକ ଖୁବ୍‌ଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମଣିପୁର ପ୍ରସଙ୍ଗରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ମଣିପୁରରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। କିନ୍ତୁ ଓଡ଼ିଶାରେ ରାଜନୀତି କରୁଛନ୍ତି। ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ ମଣିପୁରରେ ଫସିଥିବା ଅଧ୍ୟୟନରତ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଫେରାଇ ଆଣିଥିଲେ।