Categories: ଖେଳ

ଗଛ ଲଗାଉଛନ୍ତି ମଣିପୁର ଫୁଟବଲର

ନୂଆଦିଲ୍ଲୀ,୨୩।୭(ପି.ଟି.): କୋଭିଡ୍‌ ମହାମାରୀ କାରଣରୁ ଗତ ୪ ମାସ ହେବ ଖେଳରୁ ଦୂରେଇ ରହିଥିବା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରର ପୂର୍ବତନ ଓ ଏବେକାର ଫୁଟବଲରମାନେ ଏକ ଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଫୁଟବଲରମାନେ ଏବେ ଗଛ ଲଗାଇବା ଅର୍ଥାତ ବନୀକରଣ ଉପରେ ମନୋନିବେଶ କରିଛନ୍ତି। ପୂର୍ବକଥା ମନେପକାଇ ସେମାନେ ରାଜଧାନୀ ଇମ୍ଫାଲର ଦକ୍ଷିଣରେ ୫୦ କି.ମି. ଦୂରରେ ଥିବା ତେନ୍ଥା ଗାଁରେ ସେମାନେ ଗଛ ଲଗାଉଛନ୍ତି। ଏକଦା ସେମାନେ ଏହି ଗାଁରେ ଫୁଟବଲ ମ୍ୟାଚ୍‌ ଖେଳୁଥିଲେ।
ପୂର୍ବତନ ଭାରତୀୟ ମିଡ୍‌ଫିଲ୍ଡର ରେନେଡି ସିଂ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି। ଜାତୀୟ ଦଳର ଓ୍ବିଙ୍ଗର ଡଡ଼ନ୍ତା ସିଂ ଏଥିରେ ସାମିଲ ହୋଇଛନ୍ତି। ୨୦୧୭ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିବା ସୁରେଶ ଓ୍ବାଙ୍ଗ୍‌ଜାମ, ନିନ୍ଥୋଇନଗାନ୍‌ବା ମିଟେଇ, ବୋରିସ୍‌ ଥାଙ୍ଗ୍‌ଜାମ ଓ ଜିକ୍‌ସନ ସିଂ ମଧ୍ୟ ଏହି ମହତ୍‌କାର୍ଯ୍ୟରେ ସାମିଲ ହୋଇଛନ୍ତି। ଚଳିତ ସପ୍ତାହ ଆରମ୍ଭରେ ଘରୁ ୫୦ କି.ମି. ଦୂରକୁ ଆସି ସେମାନେ ଏକାଠି ହୋଇଥିଲେ। ଏହି ଗାଁରେ ରେନେଡି ସ୍ଥାନୀୟ ଟୁର୍ନାମେଣ୍ଟ ଖେଳୁଥିଲେ। ଏହି ମହତ୍‌ କାର୍ଯ୍ୟ କରି ଖେଳାଳିମାନେ ବେଶ୍‌ ଖୁସି ଜାହିର କରିଛନ୍ତି।

Share