Categories: ଖେଳ

ମ୍ୟାଚ୍‌ ଫିକ୍ସିଂ କରିବାକୁ କୋଚ୍‌ କହୁଥିଲେ

ନୂଆଦିଲ୍ଲୀ,୩।୯: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଶୁକ୍ରବାର ଜାତୀୟ କୋଚ୍‌ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ ଆୟୋଜିତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ତାଙ୍କ ଛାତ୍ର ଠାରୁ ଜାଣିଶୁଣି ହାରି ଯିବାକୁ କୋଚ୍‌ ମୋତେ କହିଥିଲେ। ଯାହା ଫଳରେ କୋଚ୍‌ଙ୍କ ଛାତ୍ର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଥାନ୍ତେ। କହିବାକୁ ଗଲେ, ମୋତେ ସେ ମ୍ୟାଚ୍‌ ଫିକ୍ସିଂ କରିବାକୁ କହିଥିଲେ। ଏହି କାରଣରୁ ଟୋକିଓ ଅଲିମ୍ପିକ୍ସ ସମୟରେ ସିଙ୍ଗଲ୍ସ ମ୍ୟାଚ୍‌ରେ କୋଚ୍‌ଙ୍କ ସହାୟତା ନେବାକୁ ମନା କରିଥିଲି ବୋଲି ମନିକା କହିଛନ୍ତି।

ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସରେ ମନିକା ଖେଳକୁ ଅସମ୍ମାନିତ କରିଥିବା ସିଧାସଳଖ ଖଣ୍ଡନ କରିଛନ୍ତି।

ନୋଟିସର ଉତ୍ତରରେ ବିଶ୍ୱର ୫୬ ତମ ର଼୍ୟାଙ୍କଧାରୀ ମନିକା କହିଛନ୍ତି, ପୂର୍ବରୁ ମ୍ୟାଚ୍‌ ଫିକ୍ସିଂ କରିବାକୁ ପରାମର୍ଶ ଦେଇଥିବା ବ୍ୟକ୍ତିଙ୍କୁ ପାଖରେ ବସାଇ ମୁଁ ମ୍ୟାଚ୍‌ ଉପରେ ଫୋକସ୍‌ କରି ପାରି ନ ଥାନ୍ତି। ବିଶୃଙ୍ଖଳାଠାରୁ ଦୂରେଇ ରହିବା ପାଇଁ କୋଚ୍‌ଙ୍କ ବିନା ଖେଳିବାକୁ ନିଷ୍ପତ୍ତି ନେଇଥିଲି। ତେବେ ଏଭଳି ଅଭିଯୋଗ ଟିଟିଏଫ୍‌ଆଇ ପକ୍ଷରୁ କୋଚ୍‌ ରୟଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଛି।

Share