ଆମ୍ବଟାକୁଆ ଭରସାରେ ଖାଦ୍ୟ ସୁରକ୍ଷା

ଦୀର୍ଘ ୨୩ ବର୍ଷ ପରେ ଆମ୍ବଟାକୁଆଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଛି। ନିକଟରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲ୍ଳକ୍‌ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ ଗାଁର ଦୁଇଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ଆହୁରି ଛଅଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣା ରାଜ୍ୟରେ ବିଶେଷକରି ଆଦିବାସୀବହୁଳ ଅଞ୍ଚଳଗୁଡ଼ିକରେ ଖାଦ୍ୟ ସୁରକ୍ଷାର ଭୟାବହ ସ୍ଥିତିକୁ ସାମନାକୁ ଆଣିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ କ୍ରମାଗତ ଭାବେ ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି।
ଭୋକ ବିକଳରେ ପିଲା ବିକ୍ରି ଓ ଆମ୍ବଟାକୁଆ କୋଇଲିରେ ପ୍ରସ୍ତୁତ ଖାଦ୍ୟକୁ ଖାଇ ମୃତ୍ୟୁବରଣ କରିବା ଏବଂ ସର୍ବୋପରି ଅନାହାର ମୃତ୍ୟୁପରି ଦୁଃଖଦାୟକ ଘଟଣା ଆମ ରାଜ୍ୟରେ ଆଦୌ ନୂଆ ନୁହେଁ। ଗତ ତିନି ଚାରି ଦଶକ ମଧ୍ୟରେ ଅବିଭକ୍ତ କୋରାପୁଟ, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲାରେ ବିଶେଷକରି କାଶୀପୁର, ଥୁଆମୂଳ ରାମପୁର, ମୋହନା ଓ ଦାରିଙ୍ଗବାଡ଼ି ଆଦି ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଏଭଳି ଘଟଣା ବାରମ୍ବାର ପଦାକୁ ଆସିବା ସହ କିଛିଦିନ ପାଇଁ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛିି। ଏଭଳି ଘଟଣା ଉନ୍ମୋଚିତ ହେଲେ ସରକାର ଓ ସରକାରୀ ଦଳ ପକ୍ଷରୁ ଚିରାଚରିତ ଭାବେ ଏହାକୁ ଘୋଡ଼େଇବା ପାଇଁ ଅଥବା ଅସ୍ବୀକାର କରିବାକୁ ପ୍ରୟାସ କରାଯିବା ଦେଖିବାକୁ ମିଳିଥାଏ। ମାଣ୍ଡିପଙ୍କା ଘଟଣାରେ ବି ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟ ପୂର୍ବ ସରକାରମାନଙ୍କ ଭଳି ଏକା ଜଣାପଡ଼ୁଛି। ଫଳରେ ଖାଦ୍ୟାଭାବଜନିତ ମୃତ୍ୟୁ ଘଟଣା ଗଣମାଧ୍ୟମରେ କିଛିଦିନ ଚର୍ଚ୍ଚା ପରେ ପ୍ରସଙ୍ଗଟି ଅନ୍ତରାଳକୁ ଚାଲିଯିବା ସହ କ୍ଷୁଧା ସମସ୍ୟା ସମାଧାନ ନ ହୋଇ ଅସମାହିତ ରହିଯାଉଛି।
ମାଣ୍ଡିପଙ୍କା ଘଟଣାରେ ରାଜ୍ୟ ସରକାର ଯେଉଁଭଳି ସମ୍ବେଦନଶୀଳତା ଦେଖାଇବା କଥା ତାହା ଦେଖାଇ ନାହାନ୍ତି। ବରଂ ଯେଉଁଭଳି ମନ୍ତବ୍ୟ ଦିଆଯାଉଛି, ତାହା ଅତ୍ୟନ୍ତ ଦାୟିତ୍ୱହୀନ ଓ ସମ୍ବେଦନହୀନ ମନେହୁଏ। ଆମ୍ବ ଟାକୁଆ ସେହି ଅଞ୍ଚଳର ଲୋକଙ୍କ ପାରମ୍ପରିକ ଖାଦ୍ୟ ବୋଲି କହି ଘଟଣାଟିକୁ ହାଲୁକା କରିବାକୁ ଚେଷ୍ଟା କରାଯାଇଛି। ଚିକିତ୍ସାଧିକାରୀ ଏହାକୁ ଖାଦ୍ୟାଭାବଜନିତ ମୃତ୍ୟୁ ବୋଲି ସ୍ବୀକାର କରିଥିବା ବେଳେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆମ୍ବଟାକୁଆରୁ ନୁହେଁ ବରଂ ବିଷାକ୍ତ ଖାଦ୍ୟ ସେବନରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି। ଉପରୋକ୍ତ ମନ୍ତବ୍ୟଗୁଡ଼ିକରୁ ସ୍ପଷ୍ଟ ଯେ ସରକାର ସମସ୍ୟାର ପ୍ରକୃତ କାରଣକୁ ସ୍ବୀକାର କରିବା ପରିବର୍ତ୍ତେ ଲୁଚେଇବାକୁ ଚେଷ୍ଟା କରୁଛନ୍ତି।
ଏହା ସତ ଯେ ଆମ୍ବଟାକୁଆ କୋଇଲିରୁ ପ୍ରସ୍ତୁତ ଖାଦ୍ୟ କନ୍ଧମାଳ କିମ୍ବା ରାୟଗଡ଼ାର ଆଦିବାସୀମାନଙ୍କ ସ୍ବାଭାବିକ ଖାଦ୍ୟ କଦାପି ନୁହେଁ। ସେମାନେ ଖାଦ୍ୟାଭାବଜନିତ ପରିସ୍ଥିତିରେ ପଡ଼ି ଏହାକୁ ଖାଇବାକୁ ବାଧ୍ୟ ହୋଇଥାନ୍ତି। ଏହାକୁ ପାରମ୍ପରିକ ଖାଦ୍ୟ ଓ ପୁଷ୍ଟିଦାୟକ ଖାଦ୍ୟ କହି ଏହା ସପକ୍ଷରେ ଯେଉଁମାନେ ଯୁକ୍ତି ଉପସ୍ଥାପନ କରୁଛନ୍ତି, ସେମାନେ ରାଜ୍ୟର ଖାଦ୍ୟାଭାବର ଶିକାର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଅସହାୟତାକୁ ପରିହାସ କରୁଛନ୍ତି ବୋଲି କୁହାଯିବ। ୨୦୦୧ରେ କାଶୀପୁରରେ ଆମ୍ବଟାକୁଆ ଖାଇ ୨୪ ଜଣ ମୃତ୍ୟୁବରଣ କରିବା ପରେ ତତ୍କାଳୀନ ମୁଖ୍ୟ ସଚିବ ସରକାରଙ୍କ ଦୋଷକୁ ଘୋଡ଼େଇବାକୁ ଯାଇ ଆମ୍ବ ଟାକୁଆରୁ ପ୍ରସ୍ତୁତ ଖାଦ୍ୟକୁ ପୁଷ୍ଟିକର ଖାଦ୍ୟ ବୋଲି କହି ଏ ସମ୍ପର୍କରେ ଏକ ଲେଖା ଖବରକାଗଜରେ ଲେଖି ସମାଲୋଚନାର ଶିକାର ହୋଇଥିଲେ। ଆଜି ମଧ୍ୟ ସରକାରରେ ଥିବା ଲୋକେ କ୍ଷୁଧାର ସ୍ଥିତିକୁ ସ୍ବୀକାର କରିବା ପରିବର୍ତ୍ତେ ସେହିଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟକୁ ଏକ ସ୍ବାଭାବିକ ଖାଦ୍ୟ ନୁହେଁ ବରଂ ଦୁର୍ଭିକ୍ଷ ସମୟର ଖାଦ୍ୟ ବୋଲି କହିବା ଠିକ୍‌ ହେବ।
ମାଣ୍ଡିପଙ୍କା ଘଟଣାରୁ ଦେଶରେ ଏବଂ ବିଶେଷକରି ରାଜ୍ୟର ଆଦିବାସୀ ଅଞ୍ଚଳଗୁଡ଼ିକରେ କ୍ଷୁଧା ଓ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତି ଜଳଜଳ ହୋଇ ଦିଶୁଛି। ଗତ କିଛି ବର୍ଷ ଧରି ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତରେ କ୍ଷୁଧାର ସ୍ଥିତି ଉଦ୍‌ବେଗଜନକ ଜଣାପଡ଼ିଛି। ଚଳିତ ବର୍ଷର ସୂଚକାଙ୍କରେ ମଧ୍ୟ କ୍ଷୁଧାର ଶିକାର ବିଶ୍ୱର ୧୨୭ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିଛି। ସରକାର କିନ୍ତୁ ଉପରୋକ୍ତ ତଥ୍ୟକୁ ପୂରାପୂରି ଖାରଜ କରି ଆସିଛନ୍ତି। ଯଦି ଦେଶରେ ଆଦୌ କ୍ଷୁଧାର ସ୍ଥିତି ନାହିଁ ବୋଲି ସରକାର ଦାବି କରୁଛନ୍ତି, ତା’ହେଲେ ୮୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ପ୍ରତିମାସରେ ମୁଣ୍ଡପିଛା ମାଗଣା ୫ କିଲୋ ଚାଉଳ ଦେବାକୁ ପଡ଼ୁଛି କାହିଁକି?
କନ୍ଧମାଳ ଓ ରାୟଗଡ଼ା ପରି ଜିଲାଗୁଡ଼ିକରେ ଆଦିବାସୀ ଲୋକଙ୍କ ପାଖରେ ନିଜର ଆବଶ୍ୟକ ଖାଦ୍ୟ ଉପତ୍ାଦନ ପାଇଁ ଯଥେଷ୍ଟ ଚାଷଜମି ନ ଥିବାରୁ ଏବଂ ଯାହା ବି ଚାଷଜମି ରହିଛି ତାହା ଏତେ ଉପତ୍ାଦନକ୍ଷମ ନ ଥିବାରୁ ସେମାନେ ବର୍ଷର ଅଳ୍ପକିଛି ମାସ ହିଁ ଚାଉଳ ବା ମାଣ୍ଡିଆ ଖାଇବାକୁ ପାଇଥାନ୍ତି। ବର୍ଷର ବଳକା ସମୟ ସେମାନେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ କନ୍ଦା, ଜହ୍ନା, କାଙ୍ଗୁ, ସୁଆଁ ଏପରିକି ଅନେକ ସମୟରେ ଆମ୍ବଟାକୁଆ ଓ ସଲପ ଗଛର ମଞ୍ଜିରୁ ପ୍ରସ୍ତୁତ ଖାଦ୍ୟକୁ ଖାଇବାକୁ ବାଧ୍ୟ ହୋଇଥାନ୍ତି। ଖାଦ୍ୟ ସୁରକ୍ଷା ଆଇନ ପରେ ସେମାନଙ୍କୁ ମାସିକ ଯେଉଁ ୫ କିଲୋ ଚାଉଳ ସରକାରଙ୍କ ତରଫରୁ ଦିଆଯାଉଛି, ତାହା ସେମାନଙ୍କ ଖାଦ୍ୟାଭାବକୁ କିଛି ପରିମାଣରେ ଦୂର କରୁଥିଲେ ବି ସମ୍ପୂର୍ଣ୍ଣ ଖାଦ୍ୟ ସୁରକ୍ଷା ଦେବାକୁ ସକ୍ଷମ ନୁହେଁ। କାରଣ ସରକାରଙ୍କ ଆଇସିଏମ୍‌ଆର୍‌ ସଂସ୍ଥାର ନିର୍ଦ୍ଧାରଣ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତିକୁ ବଞ୍ଚିବା ପାଇଁ ମାସିକ ସର୍ବନିମ୍ନ ହାରାହାରି ୧୬.୫ କିଲୋ ଖାଦ୍ୟଶସ୍ୟ ଦରକାର ପଡ଼ୁଥିବା ବେଳେ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ୫ କିଲୋ ଚାଉଳ ଦେଉଛନ୍ତି। ଏପରିକି ଚାଉଳକୁ ଛାଡ଼ିଦେଲେ ସେମାନଙ୍କ ଖାଦ୍ୟରେ ଡାଲି, ତେଲ, ପନିପରିବା ଆଦି ପୁଷ୍ଟିକର ଖାଦ୍ୟ ନାହିଁ। ଫଳରେ ସେ ଅଞ୍ଚଳର ଅଧିକାଂଶ ଲୋକ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହୁଅନ୍ତି।
ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ପ୍ରାୟ ୩.୩୬ କୋଟି ଲୋକ ଖାଦ୍ୟଶସ୍ୟ ପାଉଛନ୍ତି। ସେମାନଙ୍କୁ ଛାଡ଼ିଦେଲେ ରାଜ୍ୟର ଆହୁରି ଲକ୍ଷ ଲକ୍ଷ ଗରିବ ଲୋକ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ବାଦ୍‌ ପଡ଼ିଥିବା ଲୋକଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବା ବଦଳରେ ତାଲିକାରେ ଥିବା ଲୋକଙ୍କୁ ବିଭିନ୍ନ ଆଳରେ ବାଦ୍‌ ଦେବାକୁ ଅଧିକ ତପତ୍ରତା ଦେଖାଇଛନ୍ତି। ଆଧାର କେୱାଇସି ଯାଞ୍ଚ ନାଁରେ ମାସ ମାସ ଧରି ମାଣ୍ଡିପଙ୍କା ଗ୍ରାମବାସୀଙ୍କ ସମେତ ରାଜ୍ୟର ଲକ୍ଷ ଲକ୍ଷ ଭୋକିଲା ଲୋକଙ୍କୁ ପ୍ରତିମାସରେ ନିୟମିତ ଚାଉଳ ପାଇବାରୁ ବଞ୍ଚିତ କରାଯାଇଛି। ସରକାର ମାଣ୍ଡିପଙ୍କାରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ ଚାଉଳକୁ ତିନି ମାସ ଧରି ବନ୍ଦ କରିବା ପରେ ନଭେମ୍ବର ୨ରେ ପ୍ରଦାନ କରିଛନ୍ତି। ଆଜି ରାଜ୍ୟର ୪୦ ଲକ୍ଷ ପରିବାର ଅକ୍ଟୋବର ମାସର ଚାଉଳ ପାଇ ନ ଥିବା ସରକାର ସ୍ବୀକାର କରିଛନ୍ତି।
ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ କାମ ଯୋଗାଇବାର ଏକମାତ୍ର ସରକାରୀ ଯୋଜନା ରୂପେ ରହିଆସିଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଠିକ୍‌ ରୂପେ ଲାଗୁ ନ କରିବା ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। କିନ୍ତୁ ପରିତାପର ବିଷୟ, ସରକାର ଏହି ଯୋଜନାରେ ପଞ୍ଜୀକୃତ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଯାନ୍ତ୍ରିକ କାରଣ (କେୱାଇସି) ଦର୍ଶାଇ ଚଳିତ ବର୍ଷ ବାଦ୍‌ ଦେଇଛନ୍ତି। ଏହାସହ ଜବ୍‌କାର୍ଡଧାରୀ ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନ କାମ ଯୋଗାଇବା ବଦଳରେ ଚଳିତ ବର୍ଷ ସେଥିରେ ୪୯.୭% ହ୍ରାସ କରିଛନ୍ତି। ଏହାର ଫଳସ୍ବରୂପ କନ୍ଧମାଳ ପରି କୃଷି ଉପତ୍ାଦନରେ ପଛୁଆ ଅଞ୍ଚଳରେ ଲୋକଙ୍କ ରୋଜଗାର ହ୍ରାସ ପାଇ ସେମାନଙ୍କ ଖାଦ୍ୟପଦାର୍ଥକୁ କିଣିବାର କ୍ଷମତାକୁ ଅନେକ ପରିମାଣରେ ହ୍ରାସ କରିଛି। ଉପରୋକ୍ତ ସମସ୍ତ କାରଣର ସାମୂହିକ ପ୍ରଭାବ ହିଁ ଆଜି ସେ ଅଞ୍ଚଳରେ କ୍ଷୁଧାର ସ୍ଥିତିକୁ ଉଦ୍‌ବେଗଜନକ କରିଛି।
ରାଜ୍ୟର ଗ୍ରାମାଞ୍ଚଳ ବିଶେଷ କରି ଭୟଙ୍କର ଦାରିଦ୍ର୍ୟ ଥିବା ଆଦିବାସୀ ଅଞ୍ଚଳଗୁଡ଼ିକରେ ଖାଦ୍ୟ ସୁରକ୍ଷାକୁ କେବଳ ୫ କିଲୋ ରାଶନ ଭରସାରେ ଛାଡ଼ି ନ ଦେଇ ସେମାନଙ୍କ ଦାରିଦ୍ର୍ୟ ଓ ଖାଦ୍ୟାଭାବକୁ ଦୂର କରିବାକୁ ଦୀର୍ଘମିଆଦି ନୀତିଗତ ପଦକ୍ଷେପ ନେବା ଜରୁରୀ। ସେ ଅଞ୍ଚଳରେ ଦିଆଯାଉଥିବା ରାଶନର ପରିମାଣକୁ ମାସିକ ସର୍ବନିମ୍ନ ୧୫ କିଲୋକୁ ବଢ଼ାଇବା ସହ ଡାଲି, ଖାଇବା ତେଲ ଓ ଅଣ୍ଡା ଯୋଗାଇବାର ମଧ୍ୟ ବ୍ୟବସ୍ଥା କରନ୍ତୁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ସେ ଅଞ୍ଚଳରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରି ଲୋକଙ୍କ ଆୟକୁ ବଢ଼ାଇବାକୁ ଉଦ୍ୟମ କରନ୍ତୁ। ଜଳସେଚନର ବ୍ୟବସ୍ଥା କରି ଲୋକଙ୍କ କୃଷି ଉତ୍ପାଦନକୁ ବଢ଼ାନ୍ତୁ।

ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri