ରାସ୍ତା ପାଇଁ ହୀନସ୍ତା ମଙ୍ଗଳପୁର ଗ୍ରାମବାସୀ

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ପଞ୍ଚାୟତର ଅଧିକାଂଶ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ମଙ୍ଗଳପୁର ଏକ ରାଜସ୍ବ ଗ୍ରାମ ହୋଇଥିବା ସ୍ଥଳେ ଏହି ଗ୍ରାମକୁ ନାହିଁ ଭଲ ରାସ୍ତା। ଖରା ଓ ଶୀତ ଦିନରେ କୌଣସି ପ୍ରକାରେ କାମ ଚଳି ଯାଉଥିବା ବେଳେ ବର୍ଷା ଦନେ ଅବସ୍ଥା ସଙ୍ଗୀନ ହେଉଛି। ବର୍ଷାରେ ମାଟି କାଦୁଅ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ହୀନସ୍ତା ହେଉଛନ୍ତି ମଙ୍ଗଳପୁର ଗ୍ରାମବାସୀ। ଗତବର୍ଷ ଏହି ରାସ୍ତାରେ ପଞ୍ଚାୟତ ତରଫରୁ ମୋରମ ପଡିଥିଲା। ହେଲେ ମାଟି ମିଶା ମୋରମ ଯୋଗୁଁ ରାସ୍ତାରେ ଯାତାୟାତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା କହିଛନ୍ତି ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ଯାଏ ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେବଳ ପ୍ରତିଶ୍ରୁତି ମିଳିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଶୁକ୍ରବାର ମଙ୍ଗଳପୁର ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ରାସ୍ତା ପାଇଁ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ମଙ୍ଗଳପୁର ଗ୍ରାମବାସୀ ।