ମାନେଶ୍ୱର ଦୁର୍ଗା ପୂଜା: ରାବଣ ପୋଡ଼ି ଆକର୍ଷଣ

ସମ୍ବଲପୁର,୧୭ା୯(ବ୍ୟୁରୋ): ପାର୍ବଣ ଋତୁ ଯେତିକି ପାଖେଇ ଆସୁଛି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଚାଲିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଛକ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଛକରେ ପ୍ରାୟ ୬୦ ଫୁଟର ତୋରଣ ତିଆରି କରାଯାଉଛି। ଚାଉଁରପୁରର ମୂର୍ତ୍ତି କାରିଗର ୮ଫୁଟର ଶାନ୍ତି ସ୍ବରୁପ ଦୁର୍ଗାମୂର୍ତ୍ତି ତିଆରି କରୁଛନ୍ତି। କୋଭିଡ କଟକଣା ହଟିବା ପରେ ଚଳିତବର୍ଷ ଧୁମଧାମରେ ପୂଜା କରାଯିବ ବୋଲି ଆୟୋଜକ କର୍ମକର୍ତ୍ତା ରଞ୍ଜିତ ମେହେର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଚଳିତବର୍ଷ ପ୍ରତିବର୍ଷ ଭଳି ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ ରହିଛି। ୮୦ ରୁ ୧୦୦ ଫୁଟ ଉଚ୍ଚତାର ରାବଣ ତିଆରି କରାଯାଉଛି । ରାମ, ଲକ୍ଷ୍ମଣ ଓ ସୀତାଙ୍କ ଭବ୍ୟ ଶୋଭାଯାତ୍ରା କରି ରାବଣ ପୋଡ଼ି ରୀତିନୀତି ଅନୁସାରେ କରାଯିବ । ଅନ୍ୟପଟେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱରରୁ ରେକର୍ଡ ଡ୍ୟାନ୍ସ ଓ ଅର୍କେଷ୍ଟ୍ରା ଦଳ ଆସିବେ । କୃଷ୍ଣ ଗୁରୁ ଭଜନ ଓ କୀର୍ତ୍ତନ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟା ଶେଷ ହୋଇଛି । ଷଷ୍ଠୀ ଦିନଠାରୁ ଦଶମୀ ପର୍ଯ୍ୟନ୍ତ ନିୟମିତ ଭାବେ ପୂଜାର୍ଚ୍ଚନା କରାଯିବ । ଚଣ୍ଡିପାଠ, ହୋମଯଜ୍ଞ, କଳସଯାତ୍ରା ଓ ଭସାଣି ଶୋଭାଯାତ୍ରା ହେବ । ପ୍ରତିଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏବେ ସବୁ କ୍ଷେତ୍ରରେ ଦରଦାମ ବୃଦ୍ଧି ହେବା ଯୋଗୁ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ସାଢ଼େ ୫ ରୁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ପୂଜା କମିଟି, ଅଞ୍ଚଳବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହାୟତା ନିଆଯାଉଛି । ଶାନ୍ତିଶୃଙ୍ଖଳା ସହିତ କିଭଳି ପୂଜା ସମ୍ପନ୍ନ ହେବ ସେନେଇ କମିଟିର ସଦସ୍ୟମାନେ ବୈଠକରେ ସ୍ଥିର କରିଛନ୍ତି । ଏହାସହ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହିତ ଯୋଗାଯୋଗ ମଧ୍ୟ କରାଯାଇଛି ବୋଲି କହିଥିଲେ । ଚଳିତବର୍ଷ ଜଗଦୀଶ ପୂଜାରୀ ସହଧର୍ମିଣୀଙ୍କ ସହ କର୍ତ୍ତା କାର୍ଯ୍ୟ ନିର୍ବାହ କରିବେ । ଜଗଦୀଶ ଦାଶ ପୂଜାକାର୍ଯ୍ୟ ସମ୍ପାଦନା କରିବେ ।