ମାନ୍ୟତା ସତ୍ତ୍ୱେ ଅବହେଳିତ ‘ମଣ୍ଡନଗିରି’

ଖୋର୍ଦ୍ଧା ଅଫିସ,୮ା୫: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମ ନିକଟରେ ରହିଛି ମୁଣ୍ଡିଆପଡ଼ା ବା ମଣ୍ଡନଗିରି ପାହାଡ଼। ପ୍ରାକୃତିକ ସବୁଜିମା ଭରା ପରିବେଶ ମଧ୍ୟରେ ଏହି ପାହାଡ଼ ଉପରେ ଶ୍ରୀରଘୁନାଥ ଜୀଉଙ୍କ ପୀଠ ଅବସ୍ଥିତ। ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଛି। ତଥାପି ଏହି ପୀଠ ଅବହେଳିତ ଅବସ୍ଥାରେ ରହିଛି। ଏହାର ଉନ୍ନତୀକରଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଗୋଟିଏ ପଟେ ସରକାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର, ମନ୍ଦିରର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନ୍ୟପଟେ ଏଥିପ୍ରତି ଚରମ ଅବହେଳା କରାଯାଉଛି। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବ କାରଣରୁ ଏହି ପର୍ଯ୍ୟଟନ କ୍ଷେତ୍ର ଗୁରୁତ୍ୱ ହରାଉଛି।
ଖୋର୍ଦ୍ଧା ବନଖଣ୍ଡ ସଂରକ୍ଷିତ ଜଙ୍ଗଲଘେରା ଅଞ୍ଚଳ ମଧ୍ୟରେ ପାହାଡ଼ ଶିଖରରେ ବିଜେ କରିଛନ୍ତି ପ୍ରଭୁ ଶ୍ରୀରଘୁନାଥ। ଏଠାରେ ପ୍ରଭୁ ଶ୍ରୀରାମ, ଦେବୀ ସୀତା, ପ୍ରଭୁ ଲକ୍ଷ୍ମଣ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛି। ବର୍ଷତମାମ ଏଠାରେ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼ ରହିଥାଏ। ବିଶେଷତଃ କାର୍ତ୍ତିିକ ମାସ, ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ସମୟରେ ପ୍ରବଳ ସମାଗମ ହୁଏ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାନ ଅର୍ଥରେ ଏହି ମନ୍ଦିରର ନୀତିକାନ୍ତି ହୋଇଥାଏ। ଏହି ସ୍ଥାନର ନୈସର୍ଗିକ ପରିବେଶ ଏଠାକୁ ସମସ୍ତଙ୍କୁ ଟାଣିଆଣେ। ଯିଏ ଥରେ ଏହି ପରିବେଶକୁ ଆସିଛି, ପୁଣି ଥରେ ଏଠାକୁ ଆସିଥାଏ। ତେବେ ପର୍ଯ୍ୟଟକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ପାହାଡ଼ ଉପରୁ ସକାଳ ସୂର୍ଯ୍ୟକିରଣ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ଅତି ଲୋଭନୀୟ। ଯିଏ ଥରେ ଏହାର ସାନ୍ନିଧ୍ୟ ପାଇଛି, ତାହା ପାଇଁ ସେ ଛବି ଅଭୁଲା ହୋଇ ରହିଯାଇଛି।
ଏଠାକୁ ଯିବା ପାଇଁ କେବଳ ପାଦଚଳା ରାସ୍ତାଟିଏ ରହିଛି। ସଂପୁର ପଟୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପାହାଚ ନିର୍ମାଣ କରାଯାଇଛି। ପାହାଡ଼ ଉପରକୁ ଉଠିବାକୁ ସବୁଦିନିଆ ରାସ୍ତା, ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ଆବଶ୍ୟକ ଭିତ୍ତିଭୂମି, ଉନ୍ନତୀକରଣ, ଆଲୋକୀକରଣ ଲାଗି ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଛନ୍ତି। ଅନ୍ୟପକ୍ଷରେ ପାହାଡ଼କୁ ଘେରି ରହିଥିବା ମୂଲ୍ୟବାନ ଗଛ ଉପରେ ମାଫିଆଙ୍କ ନଜର ରହିଛି। ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ତେବେ ପ୍ରଶାସନ ଅଥବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା ନିଆଯାଇନାହିଁ ବୋଲି କେତେଜଣ ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି, ମଣ୍ଡନଗିରି ଓ କୋଶଲାଶୁୁଣି ପୀଠର ଉନ୍ନତୀକରଣ ଲାଗି ପର୍ଯ୍ୟଟନ ଏବଂ ବନ ବିଭାଗକୁ ପୃଥକ ଭାବେ ଅନୁରୋଧ କରାଯାଇଛି। ଏହାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ଏହାର ଉନ୍ନତୀକରଣ କରାଯିବ।