ଜର୍ମାନୀରେ ମାନ୍ଦାବସ୍ଥା

ବର୍ଲିନ,୨୬ା୫: ବିଶ୍ୱର ଚତୁର୍ଥ ବୃହତ୍‌ ରାଷ୍ଟ୍ର ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ୟୁରୋପୀୟ ଦେଶର ଅର୍ଥନୀତି ୨୦୨୨ର ଚତୁର୍ଥ କ୍ୱାର୍ଟରରେ ଅପ୍ରତ୍ୟାଶିତ ଭାବେ ନକାରାମତ୍କ ଅଭିବୃଦ୍ଧି ଦେଖାଇବା ପରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ସଙ୍କୁଚିତ ହୋଇଯାଇଛି।
ୟୁରୋପର ସର୍ବବୃହତ୍‌ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା। ଲଗାତର ଦୁଇଟି କ୍ୱାର୍ଟରରେ ଏପରି ଅସ୍ବାଭାବିକ ହ୍ରାସ ଆନୁଷ୍ଠାନିକ ଭାବେ ମାନ୍ଦାବସ୍ଥା ଆଗମନର ସଙ୍କେତ ଦେଇଛି। ଏହା ଗତ ମାସରେ ଚଳିତ ବର୍ଷ ପାଇଁ ନିଜ ଅଭିବୃଦ୍ଧିକୁ ଦୁଇଗୁଣା ଦର୍ଶାଇଥିବା ଜର୍ମାନୀ ସରକାରଙ୍କୁ ଝଟ୍‌କା ଦେଇଛି। ଜିଡିପି ଅଭିବୃଦ୍ଧି ୦.୨% ଥିବାବେଳେ ଏହା ୦.୪%ରେ ପହଞ୍ଚତ୍ବା ନେଇ ଗତ ଜାନୁୟାରୀ ଶେଷରେ ସରକାର ଆକଳନ କରିଥିଲେ। ଏବେ ନୂଆ ଡେଟା ଆସିବା ପରେ ଏହି ଅନୁମାନକୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଉଚ୍ଚ ମୁଦ୍ରାସ୍ଫୀତି ଉପଭୋକ୍ତାଙ୍କ ଖର୍ଚ୍ଚ କରିବା କ୍ଷମତାକୁ ପ୍ରଭାବିତ କରିଥିବାରୁ ଏପ୍ରିଲରେ ଏହା ୭.୨% ରହିଥିବା ଅର୍ଥନୀତିଜ୍ଞମାନେ କହିଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ ୨୦୨୨ ଓ୍ବିଣ୍ଟର କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ଖସିବା ସହ ଭୁଶୁଡ଼ି ପଡ଼ିଥିଲା। ଏକ ଦେଶରେ ଉତ୍ପାଦିତ ସାମଗ୍ରୀ ଓ ସେବାରୁ ଜିଡିପି ପ୍ରତିଫଳିତ ହୋଇଥାଏ। କେବଳ ଏହି ଅଙ୍କ ଆର୍ଥିକ ସମୃଦ୍ଧିର ଏକ ଉପଯୋଗୀ ସୂଚକାଙ୍କ କି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି।

Share