Categories: ଜାତୀୟ

ମହିଳାଙ୍କ ସହ ଚାଟିଂ ପାଇଁ ପୁଅକୁ ମାରିଦେଲେ

ବୁର୍ହାନପୁର(ମଧ୍ୟପ୍ରଦେଶ),୧୮।୧: ଅନ୍ୟ ମହିଳାଙ୍କ ସହ ଚାଟିଂ କରିବା ପାଇଁ ୨୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ତାଙ୍କ ବାପା ମା’ ଓ ଭଉଣୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ବୁର୍ହାନପୁର ଜିଲାରେ।

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ରାମକୃଷ୍ଣ ସିଂଙ୍କ ମୃତଦେହକୁ ଜାନୁୟାରୀ ୫ ତାରିଖରେ ରୁପାରେଲ ନଦୀରୁ ଉଦ୍ଧାର କରାଯାଇଥିଲା। ଏହାର ୩ ଦିନ ପୂର୍ବରୁ ତାଙ୍କର ନିଖୋଜ ହୋଇଯାଇଥିଲେ। ଏ ନେଇ ମାମଲା ରୁଜୁ କରିବା ପରେ ପୋଲିସ ରାମକୃଷ୍ଣଙ୍କ ମୋବାଇଲ ଲୋକେଶନ ଟ୍ରେସ କରିଥିଲା। ସେଥିରୁ ପୀଡ଼ିତଙ୍କ ହତ୍ୟା ପଛରେ ତାଙ୍କ ପରିବାରର ହାତ ରହିଥିବା ସଙ୍କେତ ମିଳିଥିଲା।

“ପଚରାଉଚରା କରାଯିବାରୁ ମୃତକଙ୍କ ବାପା ଭିମନ ସିଂ, ମା’ ଜମୁନାବାଇ ଓ ଭଉଣୀ କ୍ରୀଷ୍ଣାବାଇ ହତ୍ୟାକାଣ୍ଡ ସ୍ବୀକାର କରିଛନ୍ତି। ରାମକୃଷ୍ଣ ଜଣେ ଯୁବତୀଙ୍କ ସହ ରିଲେଶନଶିପ୍‌ରେ ଥାଇ ଅନ୍ୟ ମହିଳାଙ୍କ ସହ ଚାଟିଂ କରିବାରୁ ତାଙ୍କୁ ହତ୍ୟା କରିଥିଲେ। ସେ ବିରୋଜଗାର ଥିଲେ ଏବଂ ଫୋନରେ ଅତ୍ୟଧିକ ସମୟ ବିତାଉଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜାନୁୟାରୀ ୨ ତାରିଖରେ ଯୁକ୍ତିତର୍କ ପରେ ତାଙ୍କ ବାପା ଧକ୍କା ମାରିବା ସହ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ତାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ହାତ, ଗୋଡ଼ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ” ବୋଲି ଏଏସ୍‌ପି କହିଛନ୍ତି।

Share