ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗାଁର ନିମାଇଁ ବରିହା (୩୫)। ତାଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଥିବାବେଳେ ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଲରମ୍ଭା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ନିମାଇଁ ରବିବାର ସକାଳେ ନିଜ ବିଲକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ସୋମବାର ସକାଳେ ଗାଁଠାରୁ ଅଳ୍ପ ଦୂରରେ ଥିବା ଜାମଜୋର ନଦୀ ପାର୍ଶ୍ୱରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଲରମ୍ଭା ପୋଲିସକୁ ସୂଚନା ଦେଇଥିଲେ। ପରେ ମୃତକଙ୍କ ପରିଚୟ ନିମାଇଁ ବରିହା ବୋଲି ଜଣାପଡ଼ିଥିଲା।

ଖବର ପାଇ ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନିମାଇଁଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ଘଟିଛି, ସେନେଇ ଏଯାଏ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ।

ପରିବାରବର୍ଗ ଏହାକୁ ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ ପୋଲିସ ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ନିଷ୍କର୍ଷ ଦିଆଯାଇନାହିଁ। ଘଟଣାର ସମସ୍ତ ଦିଗକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ହିଁ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share