Categories: ଜାତୀୟ

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଏକ ନିଆରା ଶୈଳୀରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଏକ ଗଧ ଉପରେ ଚଢ଼ି ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବାବେଳେ ତାଙ୍କୁ ଦେଖିବାକୁ ସେଠାରେ ବହୁ ଲୋକ ଏକତ୍ରିତ ହୋଇ ପଡ଼ିଥିଲେ। ସମର୍ଥକଙ୍କ ମଧ୍ୟରେ ସତ୍ୟେନ୍ଦ୍ର ବୈଥା ନାମକ ଏହି ସ୍ବାଧୀନ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଗଧ ଉପରେ ବସି ନିର୍ବାଚନ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି।
ଗୋପାଳଗଞ୍ଜ ଜିଲାର କୁଚାଇକୋଟ ଥାନା ଶାମପୁର ଗ୍ରାମ ନିବାସୀ ୪୫ ବର୍ଷୀୟ ସତ୍ୟେନ୍ଦ୍ର ବୈଥା ଗତ ୨୦୦୧ରୁ ରାଜନୀତିରେ ସକ୍ରିୟ ରହିଛନ୍ତି। ସେ ଚଳିତ ଲୋକ ସଭା ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୂର୍ବରୁ ସେ ୨ ଥର ଲୋକ ସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ସେହିପରି ସତୈନ୍ଦ୍ର ପୂର୍ବରୁ ଜିଲା ପରିଷଦ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ସତ୍ୟେନ୍ଦ୍ର କହିଛନ୍ତି, ଲୋକ ସଭା ନିର୍ବାଚନରେ ଜିତି ଏମ୍‌ପି ଭାବେ ନିର୍ବାଚିତ ହେବା ପରେ ଜନ ପ୍ରତିନିଧିମାନେ ଦିଲ୍ଲୀ ଯାଇ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଗତ ତିନି ଦଶନ୍ଧି ଧରି ଗୋପାଳଗଞ୍ଜରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ତେଣୁ ସେ ଗଧରେ ଚଢ଼ି ନିଜର ନାମାଙ୍କନପତ୍ର ଦାଖଲ କରିଥିବା କହିଛନ୍ତି। ଚଳିତ ନିର୍ବାଚନ ଜିତିବା ପରେ ସେ ଗଧରେ ଚଢ଼ି ଲୋକ ସଭାକୁ ଯିବେ ବୋଲି ଘୋଷଣା କରିଛନ୍ତି।
ଆସନ୍ତା ୨୫ରେ ଗୋପାଳଗଞ୍ଜ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହିପରି ସୋମବାର ପର୍ଯ୍ୟନ୍ତ ଏହି ଆସନରୁ ପ୍ରାର୍ଥୀ ମାନେ ନାମାଙ୍କନପତ୍ର ଦାଖଲ କରିପାରିବା ନେଇ ସମୟସୀମା ରହିଛି। ଗୋପାଳଗଞ୍ଜ ଲୋକ ସଭା ଆସନରେ ଏନ୍‌ଡିଏରୁ ଜେଡିୟୁ ଏମ୍‌ପି ଡକ୍ଟର ଆଲୋକ କୁମାର ସୁମନ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଇଣ୍ଡିଆ ମେଣ୍ଟରୁ ବିକାଶଶୀଳ ଇନ୍‌ସାନ ପାର୍ଟି(ଭିଆଇପି)ପ୍ରାର୍ଥୀ ପ୍ରେମନାଥ ଚଞ୍ଚଲ ପାସୱାନ ମଇଦାନକୁ ଓହ୍ଲାଇଛନ୍ତି।

Share