ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ

ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି ତଥାପି ଲୋକେ ତାଙ୍କ ଉଦ୍ୟମକୁ ବେଶ୍‌ ପ୍ରଶଂସା କରୁଛନ୍ତି।

ଖବର ଅନୁସାରେ, ମାର୍ଚ୍ଚ ୨୩ରେ ଜଣେ ଶିପର କ୍ୟାପଟେନ ଥାଇଲାଣ୍ଡର ନୌସେନାକୁ ଖବର ଦେଇଥିଲେ ଯେ, କୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ଜଣେ ଯୁବକ ମିଳିଛନ୍ତି । ଯୁବକ ଜଣଙ୍କ ଏକ ରବର ବୋଟ୍‌ରେ ଥାଇଲାଣ୍ଡରୁ ଭାରତକୁ ଯାଉଛନ୍ତି। ଏହାପରେ ନୌସେନା ସନ୍ଧାନ ଆରମ୍ଭ କରିଥିଲା ସେତେବେଳେ ସେ ଉକ୍ତ ଯୁବକଙ୍କ ନିକଟରୁ କିଛି ପାଣି ସହ ନୁଡୁଲ୍ସ ପାଇଥିଲା।

ନୌସେନା ଅଧିକ ପଚରାଉଚରା କରିବା ବେଳେ ଯୁବକ ଜଣକ କିଛି କହି ପାରି ନ ଥିଲେ। କାରଣ ତାଙ୍କୁ ଥାଇ ଭାଷା ଜଣା ନ ଥିଲା। ସେ ଭିଏତନାମ ଭାଷା କହୁଥିଲେ। ତାଙ୍କୁ ନୌସେନା ସାଙ୍ଗରେ ନେଇଯିବା ସହ ଇଣ୍ଟରପ୍ରେଟର ଜରିଆରେ କଥା ହେବାକୁ ଚେଷ୍ଟା କରିଥିଲେ। ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ୩୭ ବର୍ଷୀୟ ହୋ ହୁଆଙ୍ଗ ହଙ୍ଗ କହିଥିଲେ ତାଙ୍କ ସ୍ତ୍ରୀ ମୁମ୍ବାଇରେ ମହାମାରୀ କରୋନା ପରଠାରୁ ଫସି ରହିଛନ୍ତି। ସେ ତାଙ୍କୁ ଭେଟି ପାରୁନାହାନ୍ତି। ଆଉ ସ୍ତ୍ରୀଙ୍କୁ ଭେଟିବାକୁ ସେ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ।

ମାର୍ଚ୍ଚ ୨ରେ ହୋ ଚି ମିନ୍‌ଚ ସିଟିରୁ ବ୍ୟାଙ୍କକ୍‌କୁ ବିମାନରେ ଆସିଥିଲେ । ଏହାପରେ ବିମାନରେ ମୁମ୍ବାଇ ଯିବାକୁ ମନସ୍ଥ କରିଥିଲେ। କିନ୍ତୁ ତାଙ୍କୁ ଭିଜା ମିଳି ନ ଥିଲା। ସେତେବେଳେ ସେ ପଟ୍ଟାୟା ଯାଇ ଏକ ନୀଳ ରଙ୍ଗର ରବର ବୋଟ୍‌ କିଣିଥିଲେ। ମାର୍ଚ୍ଚ ୫ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।

୧୮ ଦିନ ସମୁଦ୍ରରେ ଯାତ୍ରା କରିବା ପରେ କେବଳ ୮୦ କିଲୋମିଟର ସେ ଯାଇପାରିଥିଲେ। ମୁମ୍ବାଇରେ ପହଞ୍ଚିବାକୁ ତାଙ୍କୁ ଆହୁରି ୬୨୫ ଦିନ ଲାଗିଥାନ୍ତା। ହୋ’ଙ୍କଠାରୁ ଏସବୁ ଶୁଣିବା ପରେ ନୌସେନା ଥାଇଲାଣ୍ଡରେ ରହିବାକୁ ତାଙ୍କୁ ମାଗଣା ଘର ଦେବା ସହ ସ୍ତ୍ରୀଙ୍କୁ ଭେଟିବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

Share