Categories: ଫୁରସତ

୧ ଘଣ୍ଟାରେ ୩,୧୮୨ ପୁସ-ଅପ୍ସ ମାରି ଯୁବକଙ୍କ ବିଶ୍ୱ ରେକର୍ଡ

ଅଷ୍ଟ୍ରେଲିଆର ଜଣେ ଆଥଲେଟ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁସ-ଅପ୍ସ ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ ୱାଲର୍‌ଡ ରେକର୍ଡ ଦ୍ୱାରା ଏହା ଘୋଷଣା କରାଯାଇଛି।
ଅଷ୍ଟ୍ରେଲୀୟ ଆଥଲେଟ ଡାନିଏଲ ସ୍କାଲି ଏକ ଘଣ୍ଟା ମଧ୍ୟରେ ୩,୧୮୨ ପୁସ-ଅପ୍ସ ମାରି ଆଥଲେଟ ଜାରାଡ ୟଙ୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜାରାଡ ୨୦୨୧ରେ ୩,୦୫୪ ପୁସ-ଅପ୍ସ ମାରିଥିଲେ, କିନ୍ତୁ ଏଥର ସ୍କାଲି ୧୨୮ ପୁସ-ଅପ୍ସ ଅଧିକ ମାରି ଜାରାଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ଏବେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।
ଡାନିଏଲ କହିଛନ୍ତି ଯେ ତାଙ୍କ ପିଲାଦିନ ଅଧିକ ସଂଘର୍ଷମୟ ଥିଲା। ସେ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ବଡ ହୋଇଥିଲେ। ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିଲା, କିନ୍ତୁ ସେ କେବେ ହାର ମାନି ନ ଥିଲେ।
ବିଶ୍ୱ ରେକର୍ଡ ଭାଙ୍ଗିଥିବା ଡାନିଏଲଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଗିନିଜ ୱାଲର୍‌ଡ ରେକର୍ଡ ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓଟି ୟୁଟ୍ୟୁବରେ ୬୦ ହଜାରରୁ ଅଧିକ ଥର ଦେଖାଯାଇଛି ।
ସୂଚନାଯୋଗ୍ୟ ଯେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁସ-ଅପ୍ସ କରିଥିବା ଡାନିଏଲ ସ୍କାଲି ଏହା ପୂର୍ବରୁ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଦୀର୍ଘତମ ଆବ୍‌ଡୋମିନାଲ୍‌ ପ୍ଲାଙ୍କ୍‌ ପୋଜିସନ୍‌ ପାଇଁ ସେ ରେକର୍ଡ ମଧ୍ୟ କରିଛନ୍ତି।

Share