Categories: ଫୁରସତ

କେକ୍‌ ଭାବି ଅନ୍‌ଲାଇନ୍‌ରୁ ଅର୍ଡର କଲେ ଘଷି: ଖାଇବା ପରେ ଦେଲେ ଏଭଳି ରିଭ୍ୟୁ

ଅନ୍‌ଲାଇନ୍‌ ସପିଂ କରିବାର ଅନେକ ଲାଭ ରହିଛି। ସବୁଠାରୁ ବଡ଼ ଲାଭ ହେଲା ଘରେ ବସି ଜିନିଷ ପାଇପାରିବା। ଅନ୍‌ଲାଇନ୍‌ରୁ ଅର୍ଡର କରିବା ପୂର୍ବରୁ ପ୍ରଥମେ ରିଭ୍ୟୁ ଦେଖିବା ପରେ ତାହା କିପରି ହୋଇଥିବ ଜଣାପଡ଼ିଥାଏ। ବେଳେବେଳେ ରିଭ୍ୟୁରେ ଲେଖାଯାଇଥିବା କିଛି କଥା ଦ୍ୱନ୍ଦ୍ୱରେ ମଧ୍ୟ ପକାଇଥାଏ। ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛଇ। ଶପିଂ ଓ୍ବେବ୍‌ସାଇଟ୍‌ରୁ ଜଣେ ବ୍ୟକ୍ତି ଗାଇର ଗୋବରରୁ ତିଆରି ଘଷିକୁ କେକ୍‌ ଭାବି ଆମାଜନ୍‌ରୁ ଅର୍ଡର କରିଥିଲେ। ତେବେ ଏହାକୁ ସେ ଖାଇବା ସହ ଏହାର ଟେଷ୍ଟ ବିଷୟରେ ରିଭ୍ୟୁରେ ଲେଖି ଜଣାଇଛନ୍ତି। ସୋସିଆଲ ମିଡିଆରେ ଏହି ରିଭ୍ୟୁ ଏବେ ଭାଇରାଲ ହେବାରେ ଲାଗିଛି।
ସଞ୍ଜୟ ଅରୋରା ନାମକ ଜଣେ ଟ୍ବିଟର ୟୁଜର ସର୍ବପ୍ରଥମେ ଏହି ରିଭ୍ୟୁକୁ ପଢ଼ିଥିଲେ। ତାଙ୍କୁ ଅନ୍‌ଲାଇନ୍‌ରୁ ଘଷି କିଣିବାର ଥିଲା। ତେଣୁ ସେ ଆମାଜନ୍‌ ସାଇଡ୍‌କୁ ଯାଇ ଲଗ୍‌ଇନ୍‌ କଲେ। ଘଷି ଅର୍ଡର କରିବା ପୂର୍ବରୁ ଏକ ରିଭୁ ଉପରେ ତାଙ୍କର ନଜର ପଡ଼ିଲା। ଉକ୍ତ ରିଭ୍ୟୁରେ ଘଷିର ଟେଷ୍ଟ ବିଷୟରେ ଲେଖାଯାଇଥିଲା। ଏଥିରେ ଲେଖିଥିଲା, ଘଷିର ଟେଷ୍ଟ ପସନ୍ଦ ଆସିଲାନି। ଘାଷ ଖାଇବା ଭଳି ଲାଗୁଛି। ଏଥିସହ ସେ ଏହାକୁ ନରମ କରିବାକୁ ଘଷି ତିଆରି କମ୍ପାନୀକୁ ଅନୁରୋଧ ମଧ୍ୟ କରିଛନ୍ତି। ଉକ୍ତ କମେଣ୍ଟ ପଢ଼ିବା ପରେ ସଞ୍ଜୟ ଏହାର ସ୍କ୍ରିନ୍‌ସର୍ଟ ନେଇ ନିଜର ଟୁଇଟର ସାଇଟ୍‌ରେ ଶେୟାର କରିଛନ୍ତି। ଏହା ପରେ ଏହି ମେସେଜ୍‌ ଭାଇରାଲ ହେବାରେ ଲାଗିଛି। ସଞ୍ଜୟ ସ୍କ୍ରିନ୍‌ସର୍ଟ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ମୋର ଭାରତ। ମୁଁ ମୋ ଭାରତକୁ ବହୁତ ଭଲପାଏ। ଏହି କମେଣ୍ଟକୁ ପଢ଼ିବା ପରେ ଲୋକମାନେ ନିଜ ହସକୁ ରୋକିପାରୁ ନାହାନ୍ତି। ଲୋକେ ଉକ୍ତ ବ୍ୟକ୍ତିଙ୍କୁ ମୁର୍ଖଙ୍କ ବଡ଼ବାପା ବୋଲି କହିଛନ୍ତି।

Share