Categories: ଫୁରସତ

ସ୍ତ୍ରୀଙ୍କଠାରୁ ଦୂରରେ ରହିବା ଲାଗି ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ ସ୍ବାମୀ: ଏବେ ଖୋଜୁଛି ପୋଲିସ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କଠାରୁ ଦୂରରେ ରହିବାକୁ ଯାଇ କରୋନା ସଂକ୍ରମିତ ହୋଇଥିବା ନେଇ ମିଛ କହି ଚର୍ଚ୍ଚାକୁ ଆସିଛନ୍ତି। ସେ ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପଠାଇ ତାଙ୍କୁ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିବା କହିଥିଲେ। ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯିବା ପରେ ମଧ୍ୟ ସ୍ବାମୀ ଘରକୁ ଫେରି ନ ଥିଲେ। ଏଥିରେ ସନ୍ଦେହ ହେବାରୁ ସ୍ତ୍ରୀ ରିପୋର୍ଟର ଯାଞ୍ଚ କରିବାକୁ ତାର ଫଟୋ ନିଜ ବାପାଙ୍କ ନିକଟକୁ ପଠାଇଥିଲେ। ଏହାପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ଘଟଣାଟି ଗ୍ବାଲ୍ଟୋଲି ଥାନା ଅଞ୍ଚଳର। ଏଠାରେ ଜଣେ ପ୍ଲାଇଉଡ୍‌ ବ୍ୟବସାୟୀଙ୍କ ପୁଅ ଏଜାଜ୍‌ଙ୍କର ବିବାହ ଚଳିତ ବର୍ଷ ଫେବୃୟାରୀରେ ହୋଇଥିଲା। ହେଲେ ଏଜାଜଙ୍କ ନିକଟରେ ଶାରୀରିକ ଦୁର୍ବଳତା ଥିଲା। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଫଳରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଚିନ୍ତାଗ୍ରସ୍ତ ହୋଇ ଏଜାଜ୍‌ ସ୍ତ୍ରୀଙ୍କଠାରୁ ଅଲଗା ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆପ୍‌ ଜରିଆରେ ଫଟୋଶପ୍‌ କରି ତାଙ୍କ ନାମରେ ଅନ୍ୟର କୋଭିଡ୍‌ ରିପୋର୍ଟ ଏଡିଟ୍‌ କରି ପରିବାରକୁ ପଠାଇଦେଇଥିଲେ।

ରିପୋର୍ଟ ପଠାଇ ଘରୁ ଦୂରରେ ରହିବା ଆରମ୍ଭ କରିଥିଲେ ସେ । ପରିବାରଲୋକେ ସେ ବାସ୍ତବରେ ସଂକ୍ରମିତ ହୋଇଥିବା ଅନୁଭବ କରିଥିଲେ। ଏହିଭଳି ଏକ ମାସ ବିତି ଯାଇଥିଲା। ହେଲେ କୌଣସି ଲକ୍ଷଣ ନ ଥାଇ ସେ କେଉଁଭଳି କରୋନା ସଂକ୍ରମିତ ହେଲେ ତାକୁ ନେଇ ସ୍ତ୍ରୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ତାଙ୍କ ବାପାଙ୍କ ନିକଟକୁ ଉକ୍ତ ରିପୋର୍ଟ ପଠାଇଥିଲେ। କେଉଁଠାରୁ ରିପୋର୍ଟ ପ୍ରସ୍ତୁତ ହୋଇଛି ସେହି ଲ୍ୟାବ୍‌ ସହ ଯୋଗାଯୋଗ କରାଯାଇଥିଲା। ଯାଞ୍ଚ ପରେ ଏହା ନକଲି ଥିବା ଜଣାପଡ଼ିଥିଲା। ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଲ୍ୟାବ୍‌ ମାଲିକ ପୋଲିସ ଷ୍ଟେଶନ ଯାଇ ଏକ ଜାଲ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏଜାଜଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ଏଜାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି।

Share