୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ଅପରାହ୍ନରେ ମାଛ ଧରିବାକୁ ଆସିଥିବା ଆନ୍ଧ୍ର ଅଞ୍ଚଳର ବ୍ୟକ୍ତି ଦୁଇ ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ପାଣିରେ ବୁଡି ନିଖୋଜ ହୋଇଥିଲେ। ପାଣି ଭିତରୁ ତାଙ୍କ ମୃତଶରୀର ଶୁକ୍ରବାର ସକାଳେ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ଆନ୍ଧ୍ର ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆନ୍ଧ୍ର ପୋଲିସ ଓଡ଼ିଶା ଅଞ୍ଚଳର ମତ୍ସ୍ୟଜୀବୀଙ୍କ ସହାୟତା ଲୋଡ଼ିଥିଲା। ମତ୍ସ୍ୟଜୀବୀମାନେ ଜାଲ ପକାଇ ମୃତଦେହକୁ ପାଣି ଭିତରୁ କାଢ଼ି ଆନ୍ଧ୍ର ମୁଚିମପୁଟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବ୍ୟକ୍ତି ଜଣକ ଆନ୍ଧ୍ର ମୁସୁଡ଼ିପୁଟ ଗ୍ରାମର ଗୁମାଡ଼ି ନାଗେସ। ସେ ନିଜ ୭ ଓ ୧୦ ବର୍ଷର ଦୁଇପୁଅଙ୍କୁ ସ୍କୁଟିରେ ଧରି ମାଛ ଧରିବାକୁ ବ୍ରିଜ ତଳକୁ ଆସିଥିଲେ। କିନ୍ତୁ କୌଣସି କାରଣରୁ ନଦୀ କୂଳରେ ବସିଥିବା ଦୁଇ ପୁଅ ପାଣି ଭିତରକୁ ଖସି ପଡ଼ିଥିଲେ। ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇ ବ୍ୟକ୍ତି ଜଣକ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଆନ୍ଧ୍ର ପୋଲିସ ସୂଚନା ଦେଇଛି।

Odisha’s No.1 Odia Daily

Share