Categories: ଜାତୀୟ

ନାଚୁ ନାଚୁ ଚାଲିଗଲା ଜୀବନ

ବାରାଣସୀ,୨୯।୧୧: ବର୍ତ୍ତମାନର ଖାଦ୍ୟପେୟ, ଜୀବନଶୈଳୀ ଓ ପରିବେଶ ଯୋଗୁ ବହୁଳ ଭାବେ ହୃଦ୍‌ଘାତ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। କାହାର ଜିମ୍‌ରେ ପ୍ରାଣ ଯାଉଛି ତ ଆଉ କାହାର ନାଚୁ ନାଚୁ ଚାଲିଯାଉଛି ଜୀବନ। କିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରାଣସୀରେ। ଜଣେ ୪୦ବର୍ଷ ବ୍ୟକ୍ତିଙ୍କ ନାଚୁ ନାଚୁ ମୃତ୍ୟୁ ଘଟିଛି। ଏହି ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ନାଚୁ ନାଚୁ ହଠାତ୍‌ ପଡ଼ିଯିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ନଭେମ୍ବର ୨୫ରେ ବାରାଣସୀ ସ୍ଥିତ ପିପଲାନି କଟରା ଅଘୋଡନାଥ ତକିଆରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ୪୦ ବର୍ଷୀୟ ମନୋଜ ବିଶ୍ୱକର୍ମା ନିଜ ସମ୍ପର୍କୀୟଙ୍କ ସହ ଡାନ୍ସ କରୁଥିଲେ। ହଠାତ୍‌ ସେ ଅଚେତ୍‌ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଅଚେତ୍‌ ଅବସ୍ଥାରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମନୋଜଙ୍କ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଛନ୍ତି।

 

Share