ଦରମା ନ ଦେବାରୁ ଚଢ଼ିଗଲେ ଟାଙ୍କି ଉପରେ

କଟକ ସଦର,୨୫।୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଧୀନ ଅରିଲୋ ଗ୍ରାମର ଏକ ପାଣି ଟାଙ୍କି ଉପରେ ସୋମବାର ଜଣେ ଯୁବକ ହଠାତ ଚଢ଼ିଯାଇଥିଲେ। ୫ ବର୍ଷର ବକେୟା ଦରମା ନ ଦେଲେ ଅଭାବନୀୟ କାଣ୍ଡ ଘଟାଇବେ ବୋଲି ଚିତ୍କାର କରିଥିଲେ। ପାଟିଶୁଣିବା ପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। ଖବରପାଇ କିଶନନଗର ଥାନା ଅଧିକାରୀ ସସ୍ମିତା ରଣା ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଯୁବକଜଣକ ତଳକୁ ଆସିଥିଲେ।
ସମ୍ପୃକ୍ତ ଯୁବକ ହେଲେ ପାନୀୟ ଜଳ ପ୍ରକଳ୍ପର ପମ୍ପ ଡ୍ରାଇଭର ଦୀପକ କୁମାର ଖଣ୍ଡୁଆଳ। ଯୁବକଙ୍କଠାରୁ ଥାନାଧିକାରୀ ରଣା ସମସ୍ତ ଘଟଣା ଶୁଣିବା ପରେ ଦରମା କଥା ବୁଝିବା ପାଇଁ ଅରିଲୋ ସରପଞ୍ଚ ଅକ୍ଷୟ କୁମାର ସାହୁଙ୍କୁ ପରାମର୍ଶ ଦେଇଥିଲେ। ୨୦୧୬ ମସିହାରୁ ଉକ୍ତ ପାନୀୟ ଜଳ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ଖଣ୍ଡୁଆଳ ପମ୍ପ ଡ୍ରାଇଭର ଭାବେ ଦୀପକ କାମ କରୁଥଲେ। ହେଲେ ଆଜି ପର୍ଯ୍ୟନ୍ତ ସେ ତାଙ୍କ ଦରମା ପାଇ ନାହାନ୍ତି। ସରକାରୀ ନିୟମ ଅନୁଯାୟୀ ପାଣି ଟାଙ୍କି ନିର୍ମାଣ କରିଥିବା ଠିକାଦାର ସମ୍ପୃକ୍ତ ଡ୍ରାଇଭରଙ୍କୁ ତାଙ୍କ ଦରମା ଦେବା ଦରକାର। କଟକ ସଦର ବିଡିଓଙ୍କ ସହ ଆଲୋଚନା କରିବା ପରେ ଯାହା କିଛି କରିବି ବୋଲି ସରପଞ୍ଚ ସାହୁ ସୂଚନା ଦେଇଛନ୍ତି।