Categories: ଜାତୀୟ

ଦାଉଦ୍‌ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍‌

ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍‌ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଫୋନ୍‌ କରି ‘ମାତୋଶ୍ରୀ’କୁ ବମ୍‌ ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହି ଅବସରରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଅନିଲ ପରବ ସ୍ପଷ୍ଟ କରିଛନ୍ତି ଯେ, ଦୁବାଇରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ ନିକଟରୁ ଏହି ଧମକ ଆସିଛି। ଅନିଲ କହିଛନ୍ତି, ‘ମାତୋଶ୍ରୀ ବାସଭବନକୁ ଏକ ଫୋନ କଲ୍‌ ଆସିଥିଲା। ସେ ଦାଉଦ୍‌ର ଲୋକ ବୋଲି ନିଜକୁ ପରିଚୟ ଦେଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଦାବି କରିଥିଲା। ଫୋନ ଅବସରରେ ସେ ମାତୋଶ୍ରୀକୁ ଉଡ଼ାଇବା ନେଇ କୌଣସି ଧମକ ଦେଇ ନ ଥିଲା। ଏହି ଫୋନ୍‌ ବିଷୟରେ ଆମେ ପୋଲିସ କମିଶନରଙ୍କୁ ଅବଗତ କରାଇଛୁ। ପୋଲିସ ଏହାର କାର୍ଯ୍ୟ ଆରମ୍ଭ କରିଛି। ଏହି ଫୋନ୍‌ ସତ କି ମିଛ ପୋଲିସ ତଦନ୍ତ କରୁଛି।’ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ଗତ କାଲି ରାତିରେ ମାତୋଶ୍ରୀକୁ ୩-୪ଥର କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ କି ଦାଉଦ୍‌ ଭାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ କଥା ହେବାକୁ ଚାହିୁଁଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢ଼ାଇ ଦିଆଯାଇଛି।

Share