ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ ହାବୁଡ଼ରେ ପଡ଼ିଛନ୍ତି। ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଉକ୍ତ ଗାଡ଼ିକୁ ଜବତ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ସହକାରୀ ଜିଲା ଯୋଗାଣ ଅଧିକାରୀ ସୋନାଲୀ ଖରା, ଭବାନୀପାଟଣା ମ୍ୟୁନସିପାଲଟିର ସରକାରୀ ଯୋଗାଣ ଅଧିକାରୀ ପ୍ରତିଭା ପ୍ରଧାନ, କର୍ଲାମୁଣ୍ଡା ଯୋଗାଣ ନୀରକ୍ଷକ ସ୍ମୃତିରଞ୍ଜନ ଜେନା, ନର୍ଲା ଯୋଗାଣ ନୀରକ୍ଷକ ପ୍ରଶାନ୍ତ ଶ୍ରୀଚନ୍ଦନଙ୍କୁ ନେଇ ଯୋଗାଣ ବିଭାଗର ଟିମ୍ ପହଞ୍ଚି ଗାଡ଼ି(ଓଡି ୦୩ ଡି ୨୭୮୫) ଓ ସେଥିରେ ଥିବା ୩୨ କୁଇଣ୍ଟାଲ ୬୮କେଜି ଧାନ ଜବତ କରିଥିଲେ l ଜବତ ଗାଡ଼ି ଓ ଧାନ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ରାଇସ ମିଲ, ଗଜବାହାଲରେ ରଖାଯାଇଥିବା ଜଣାଯାଇଛି । ଅଞ୍ଚଳରେ ବର୍ତ୍ତମାନ ଧାନ ବେପାରୀ ମାନେ ସକ୍ରିୟ ଥିବା ବେଳେ ରିଷିଡ଼ା ପୋଲିସର ଅଚାନକ ଚଢାଇ ନେଇ ସେଇ ବେପାରୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜବତ ଗାଡିର ମାଲିକ ଅବଜୁବାହାଲ ଗ୍ରାମର ହରେକୃଷ୍ଣ ସାହୁ ବୋଲି ସୂଚନା ମିଳିଛି।


