Categories: ଜାତୀୟ

ଅଫିସରେ ଝଗଡ଼ା, ଘରକୁ ଡାକି କାଟିଦେଲେ ସହକର୍ମୀଙ୍କ ମୁଣ୍ଡ

ନୂଆଦିଲ୍ଲୀ,୮।୧୨: ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଘରକୁ ଡାକି ହତ୍ୟା କରିବା ପରେ ମୃତଦେହର ପାଖରେ ଶୋଇଥିଲେ। ପର ଦିନ ସକାଳେ ଶବରୁ ମୁଣ୍ଡ ଅଲଗା କରି ଫିଙ୍ଗି ଦେଇଥିଲେ ଅଳିଆ ଗଦାରେ। ଏଭଳି ହତ୍ୟାକାଣ୍ଡ ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତ ସନ୍ଦୀପ ମିଶ୍ରା ମେସିନ ଅପରେଟର ଭାବେ ଏକ ଅଟୋମୋବାଇଲ କମ୍ପାନୀରେ କାମ କରୁଥିଲେ। କିନ୍ତୁ ତାଙ୍କ କାମକୁ ନେଇ ସିନିୟର ପାଖରେ ଅଭିଯୋଗ କରୁଥିଲେ ପ୍ରମୋଦ କୁମାର (ସନ୍ଦୀପଙ୍କ ସିନିୟର)। ଏଣୁ ଘର ପାଖରେ ରହୁଥିବା ପ୍ରମୋଦଙ୍କୁ ରବିବାର ରାତିରେ ମଦ୍ୟପାନ କରିବା ପାଇଁ ରୁମକୁ ଡାକି ହତ୍ୟା କରିଥିଲେ ସନ୍ଦୀପ।

ପ୍ରମୋଦଙ୍କ ସହ ଯୋଗାଯୋଗ ନ ହୋଇ ପାରିବାରୁ ୩୦୦ କିମି ଦୂର କାସଗଞ୍ଜରେ ରହୁଥିବା ତାଙ୍କ ସ୍ତ୍ରୀ ପହଞ୍ଚିଥିଲେ ଅଭିଯୁକ୍ତଙ୍କ ଘରେ। ସେଠାରେ ସନ୍ଦୀପଙ୍କ ଉପରେ ସନ୍ଦେହ ଘନିଭୂତ ହେବାରୁ ପୋଲିସକୁ ଜଣାଇଥିଲେ। ଘରର କବାଟ ଭାଙ୍ଗି ପୋଲିସ ପ୍ରମୋଦଙ୍କ ମୃତଦେହ ଜବତ କରିଥିଲା। ସନ୍ଦୀପଙ୍କୁ ଘର ପାଖରୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ ଜ୍ଞାନେନ୍ଦ୍ର କୁମାର କହିଛନ୍ତି।

ପ୍ୟାକ୍ଟ୍ରିରେ ହୋଇଥିବା ଝଗଡ଼ାର ସମାଧାନ କରିବା ପାଇଁ ପ୍ରମୋଦଙ୍କୁ ମଦ୍ୟପାନ କରିବା ପାଇଁ ସନ୍ଦୀପ ରୁମ୍‌କୁ ଡାକି ଥିଲେ। ସେଠାରେ ତାଙ୍କୁ ପ୍ରଚୁର ମଦ ପିଆଇବା ପରେ ଛୁରି ଭୁଷି ହତ୍ୟା କରିଥିଲେ। ରାତିରେ ମୃତଦେହ ପାଖରେ ଶୋଇଥିଲେ ଅଭିଯୁକ୍ତ। ସକାଳେ ମୃତଦେହରୁ ମୁଣ୍ଡ କାଟି ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଘରଠୁ ୫୦୦ ମିଟର ଦୂର ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share