Categories: ଜାତୀୟ

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ଫୋନକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଗୁରୁବାର ଏହି ଜାତୀୟ ଲଜ୍ଜା ଘଟଣାରେ ସିବିଆଇକୁ ତଦନ୍ତ ଭାର ଦିଆଯାଇଛି।

ପ୍ରକାଶ ଯେ, ଭାଜପା ଶାସିତ ଏହି ରାଜ୍ୟରେ ମେ’ ୩ରୁ ଜାତିଆଣ ହିଂସା ଲାଗି ରହିଛି। ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଯୁବତୀ, ମହିଳାଙ୍କୁ ବଳାତ୍କାର କରାଯାଉଛି। ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ମାନ୍ୟତା ଦାବି କରୁଥିବା ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ କୁକି ବର୍ଗ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଥିବା ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓ ଭାଇରାଲ ହୋଇଥିଲା। ଏହା ଜାତୀୟ ଲଜ୍ଜା ପାଲଟିଥିବା ବେଳେ ବିଦେଶରେ ମଧ୍ୟ ଭାରତର ଛବିକୁ କଳଙ୍କିତ କରିଛି।

Share