ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ ପରିବାର ବୋଝ। ପୂର୍ବରୁ ବାପା ପରିବା ବିକି ଯାହା ରୋଜଗାର ହେଉଥିଲା କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା। ହେଲେ ୨୦୧୮ରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହେବାରୁ କିଛି କାର୍ଯ୍ୟ କରିବା ସମ୍ଭବ ହେଲାନି। ଏଭଳି ସମୟରେ ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ଖର୍ଚ୍ଚର ଭାର ନିଜେ ମୁଣ୍ଡାଇଥିଲେ ମାମୁନି। ଘରୁ ଗୋଡ଼ କାଢି ବାହାରକୁ ଯିବାକୁ ସ୍ଥିରକଲେ। ଗାଁର ଜଣେ ଚିହ୍ନାଲୋକଙ୍କ ସାହାଯ୍ୟରେ କାମ କରିବାକୁ ଆନ୍ଧ୍ର ପ୍ରଦେଶର ବାପାଟଲାକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚତ୍ବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ପ୍ରତିଦିନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏହା ଭିତରେ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେବା ପରେ ତାଙ୍କ ଜୀବନ ଆହୁରି ଦୁର୍ବିଷହ ହୋଇଯାଇଥିଲା। ପାଖରେ ରହୁଥିବା ଅନ୍ୟମାନେ ତାଙ୍କ ମୋବାଇଲ୍‌ ଫୋନ୍‌ ସହ ସମସ୍ତ ସାମଗ୍ରୀ ଚୋରି କରିନେଇଥିଲେ। ଏଭଳି ଦୁଃସମୟରେ ମାମୁନିଙ୍କ ପାଇଁ ଦେବଦୂତ ସାଜିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ମାମୁନିଙ୍କ ମା’ଙ୍କଠାରୁ ଏକ ଫୋନ୍‌ କଲ୍‌ ପାଇ ସବ୍ୟସାଚୀ ସବୁକଥା ଶୁଣିଥିଲେ। ଲଣ୍ଡନରେ ରହୁଥିବା ସବ୍ୟସାଚୀଙ୍କ ବନ୍ଧୁ ଡ. ସମ୍ବାଶିବା ରାଓଙ୍କ ଘର ବାପଟଲା ହୋଇଥିବାରୁ ତାଙ୍କୁ ସାହାଯ୍ୟ ପାଇଁ ସବ୍ୟସାଚୀ କହିଥିଲେ। ସେ ଓ ତାଙ୍କ ସାଙ୍ଗମାନେ ମିଶି ମାମୁନିଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସହଯୋଗ କରି ବାପଟଲା ପୋଲିସ ଷ୍ଟେଶନକୁ ଅବଗତ କରିଥିଲେ। ରବିବାର ମାମୁନି ସୁରକ୍ଷିତ ଅବସ୍ଥାରେ ଓଡ଼ିଶା ଫେରିଆସିଛନ୍ତି। ଭୁବନେଶ୍ୱର ଷ୍ଟେଶନରେ ମା’ଙ୍କୁ ଦେଖି ସେ ଖୁସିରେ କାନ୍ଦି ପକାଇଥିଲେ। ସବ୍ୟସାଚୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ ମାମୁନି।