Categories: ଜାତୀୟ

କୃଷି ଆଇନକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା,୨୮ ।୧: ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ଯେଉଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ ନାହିଁ ସେମିତି ରାଜ୍ୟ ଭଳି ପଶ୍ଚିମବଙ୍ଗ ବି ଏବେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଧାନସଭାର ଦୁଇ ଦିନିଆ ବିଶେଷ ଅଧିବେଶନ ଡାକିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରସ୍ତାବ ଦିଆଯାଇଛି । ଏହାପରେ ଭାଜପା ବିଧାୟକମାନେ ଗୃହ ମଧ୍ୟରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇଛନ୍ତି । ଇତିମଧ୍ୟରେ ଭାଜପା ଓ ଶାସକ ତ୍ରୁଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ମଙ୍ଗଳବାର ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ପରେ ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଯେଉଁଭଳି ପ୍ରଦର୍ଶନ କରାଗଲା ତାକୁ ଆୟତ୍ତ କରିବାକୁ ପୋଲିସ ବିଫଳ ହେଲା । ଫଳରେ ପରିସ୍ଥିତି ଏକ ପ୍ରକାର ହିଂସାର ରୂପ ନେଲା । ଯଦି ଏହା ପଶ୍ଚିମବଙ୍ଗରେ ହୋଇଥାଆନ୍ତା ତେବେ ୍‌ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥାଆନ୍ତେ ‘କଣ ହେଲା ମୁଁ ଏହାର କଡା ନିନ୍ଦା କରୁଛି’ । ମମତାଙ୍କ ମତ ହେଲା ମୁଁ ଚାହୁଁଛି କେନ୍ଦ୍ର ସରକାର ୩ କୃଷି ଆଇନକୁ ଫେରାଇ ନିଅନ୍ତୁ ନଚେତ୍ ଆସନ ଛାଡନ୍ତୁ । ସୂଚନାଯୋଗ୍ୟ, ଆରମ୍ଭରୁ ହିଁ ମମତା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆସୁଛନ୍ତି ।

Share