Categories: କନ୍ଧମାଳ

୨୯ ବର୍ଷରେ ବେଲଜିୟମ୍‌ରୁ ଜନ୍ମମାଟିକୁ ଫେରିଲେ ମାମିନା

ଜି.ଉଦୟଗିରି,୭ା୭(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ। ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ ବୟସରେ ନିଜ ମାତୃଭୂମିକୁ ଫେରିଛି। କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ନିଃସନ୍ତାନ ଦମ୍ପତି ଏହି ଝିଅକୁ ପୋଷ୍ୟା କନ୍ୟା ରୂପେ ସରକାରୀ ନିୟମ ଅନୁସାରେ ଗ୍ରହଣ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେହି ଝିଅ କମ୍ବୋଡିଆ ବୁଲିଯାଇଥିବା ବେଳେ ସେଠାକାର ଅଂଗ୍ଲୋ ଇଣ୍ଡିଆନମାନେ ମାମିନାଙ୍କୁ ପ୍ରଶ୍ନ କରିଥିଲେ କି ତୁମେ କ’ଣ ଅଂଗ୍ଲୋ ଇଣ୍ଡିଆନ? ଏହା ଶୁଣି ପାଳିତ ବାପା ମା’ଙ୍କୁ ନିଜ ବିଷୟରେ ପଚାରିଥିଲେ ଓ ଜାଣିବାକୁ ପାଇଲେ ସେ ଜଣେ ଭାରତୀୟ ତାକୁ ପୋଷ୍ୟା କନ୍ୟା ରୂପେ ଗ୍ରହଣ କରି ବେଲଜିୟମର ପରିବାର ଲାଳନ ପାଳନ କରିଛନ୍ତି। ବର୍ତ୍ତମାନ ସେ ଜଣେ ଉଚ୍ଚ ଶିକ୍ଷିତ ଓ ବିବାହିତା ମଧ୍ୟ। ନିଜ ପ୍ରକୃତ ପରିଚୟ ଓ ପରିବାର ଠିକଣା ପାଇବା ପାଇଁ ମାମିନା ପୁନେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜ ପାୱାରଙ୍କ ମାଧ୍ୟମରେ ଭାରତ ଆସିବା ପରେ ଓଡ଼ିଶା ଆସି ପହଞ୍ଚି ପାରିଥିଲେ। ପରିବାରକୁ ପାଖରେ ପାଇ ମାମିନା ବହୁ ଖୁସି ଅନୁଭବ କରୁଥିବା ପ୍ରକାଶ କରିବା ସହ ଏହି ଅଞ୍ଚଳ ମୋ ଜନ୍ମଭୂମି ଓ ଭାରତ ମୋ ଦେଶ ବୋଲି କହିବା ବେଳେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା। ଜି. ଉଦୟଗିରି ପହଞ୍ଚି ପରିବାର ସହିତ ସୁଭଦ୍ରା ମହତାବ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।