କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ଗୋଷ୍ଠୀ ଏହାର ନୂତନ ଲୋଗୋ ଏବଂ ଅସ୍ଥାୟୀ ପ୍ରତୀକ ‘ଫୁଟବଲ ଖେଳାଳି’ ପ୍ରକାଶ କରିଛି। ଅକ୍ଟୋବର ୬ରେ ହୋବାକୁ ଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହାର ନୂତନ ପରିଚୟକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ନୂତନ ଲୋଗୋର ମଧ୍ୟଭାଗରେ ଏକ ‘ଫୁଟବଲ ଖେଳାଳି’ ରହିଥିବାବେଳେ ଚାରିପାଖରେ ‘ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ନାମ ରହିଛି। ଦଳର ସମସ୍ତ ନେତା, କର୍ମୀ ଏବଂ ଜନ ପ୍ରତିନିଧିମାନଙ୍କୁ ସୋସିଆଲ ମିଡିଆ ଜରିଆରେ ଏହି ନୂତନ ଲୋଗୋ ଏବଂ ପ୍ରତୀକକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଭୋଟରମାନେ ସହଜରେ ଏହାକୁ ଚିହ୍ନିପାରିବେ।
ଏହି ସମୟରେ ରେଜିନଗର ଉପନିର୍ବାଚନରେ ମମତା ଗୋଷ୍ଠୀ ଏହି ନୂତନ ପ୍ରତୀକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାବେଳେ, ନନ୍ଦିଗ୍ରାମରେ ଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି। ଦଳ ଏହି ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ କାଠଗଡ଼ାକୁ ଟାଣିଛି। କିନ୍ତୁ ନିର୍ବାଚନୀ ପ୍ରଚାରକୁ ଅଧିକ ଦିନ ଅପେକ୍ଷା ନକରି ଜନସାଧାରଣଙ୍କ ମଧ୍ୟରେ ନୂତନ ପ୍ରତୀକର ପରିଚୟ ସୃଷ୍ଟି କରିବା ଏବେ ଦଳର ମୁଖ୍ୟ ଲକ୍ଷ୍ୟ ହୋଇପଡ଼ିଛି।