Categories: ଜାତୀୟ

ଦିଦିରୁ ଦେବୀ ହେବାକୁ ଯାଉଛନ୍ତି ମମତା: ଭାଜପା କହିଲା ହିନ୍ଦୁଙ୍କ ଅପମାନ

କୋଲକାତା,୩ ।୯: ପାଖେଇ ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ସାରା ଦେଶରେ ପାଳନ କରାଯିବ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇ ଗଲାଣି । ହେଲେ ଦୂର୍ଗାପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଏଥର ଦେବୀ ମୂର୍ତ୍ତି ସହ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି ପୂଜା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାକୁ ଦେଖିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏହା ହିନ୍ଦୁ ଦେବତାଙ୍କ ଅପମାନ ବୋଲି କହିଛି । ମୂର୍ତ୍ତିକାର ମିଟୁ ପାଲ କୁମାରଟୁଲି ସ୍ଥିତ ନିଜ ଷ୍ଟୁଡିଓରେ ଫାଇବରଗ୍ଲାସର ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏଥିରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରିୟ ଧଳା ଶାଢି ଓ ତାଙ୍କ ଟ୍ରେଡମାର୍କ ସ୍ଲିପର ଚପଲରେ ତାଙ୍କର ଦେବୀ ପ୍ରତିମା ପ୍ରସ୍ତୁତ କରାଯାଇଛି । ମୂର୍ତ୍ତିକାର ପାଲ କହିଛନ୍ତି ମମତାଙ୍କ ଫଟୋ ଓ ଭିଡିଓ ଦେଖି ସେ ଏହାକୁ ତିଆରି କରିଛନ୍ତି । ଯେମିତିକି ସେ କେମିତି ଚାଲନ୍ତି, କେମିତି କଥା ହୁଅନ୍ତି ଆଦି ଉପରେ ଧ୍ୟାନ ଦିଆଯାଇଛି । ଦେବୀଙ୍କ ଦଶ ହାତରେ ଅସ୍ତ୍ରଶସ୍ତ୍ର ଥିବା ବେଳେ ମମତାଙ୍କ ୧୦ ହାତରେ ବିଭିନ୍ନ ଯୋଜନାର ସିମ୍ବଲ ରହିବ ବୋଲି ସେ କହିଛନ୍ତି । ଯେମିତିକି କନ୍ୟାଶ୍ରୀ, ସ୍ୱାସ୍ଥ୍ୟ ସତୀ, ସବୁଜସାଥି, ଲକ୍ଷ୍ମୀର ଭଣ୍ଡାର ଇତ୍ୟାଦି । ଦୁର୍ଗାପୂଜାର ଆୟୋଜକ ଏହା ମାଧ୍ୟମରେ ମମତା ସରକାରଙ୍କ ବିଭିନ୍ନ ଯୋଜନା ବିଷୟର ଅବଗତ ହେବେ ବୋଲି କହିଛନ୍ତି ।

Share