Categories: ଜାତୀୟ

ଜାତୀୟ ସଂଗୀତ ଗାନ ବେଳେ ଛିଡ଼ା ହେଲେ ମମତା

ନନ୍ଦିଗ୍ରାମ (ପଶ୍ଚିମବଙ୍ଗ), ୩୦।୩ : ହାଇ ଡ୍ରାମା ସହ ମଙ୍ଗଳବାର ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଶେଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୋଡ଼ଜନିତ ଆଘାତ ସମସ୍ୟା ସତ୍ତ୍ୱେ ସେ ଜାତୀୟ ସଂଗୀତ ଗାନ ବେଳେ ମଞ୍ଚ ଉପରେ ଛିଡ଼ା ହୋଇଥିଲେ। ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂର୍ବତନ ଘନିଷ୍ଠ ତଥା ଏବେକାର ବଡ଼ ଶତ୍ରୁ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ନନ୍ଦିଗ୍ରାମରେ ହେବାକୁ ଯାଉଛି ସମ୍ମାନର ଯୁଦ୍ଧ। ଗୁରୁବାର ଏହି ଆସନରେ ନିର୍ବାଚନ ହେବାକୁ ଥିବାରୁ ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ।

ଏହି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେବେଠାରୁ ସେ ହ୍ବିଲଚେୟାର ବସି ପ୍ରତ୍ୟେକ ରାଲିରେ ଯୋଗ ଦେଉଛନ୍ତି। ଭାଜପା ଦେଶକୁ ଯେଉଁଭଳି କ୍ଷତ ଦେଇଛି, ତା ଆଗରେ ମୋ ଗୋଡ଼ରେ ଲାଗିଥିବା ଆଘାତ କିଛି ନୁହେଁ ବୋଲି ସେ କହି ଆସୁଛନ୍ତି। କିନ୍ତୁ ଜାତୀୟ ସଂଗୀତ ଗାନବେଳେ ତାଙ୍କ ପତିକ୍ରିୟା ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଆସନ ହିଁ ମମତାଙ୍କୁ ୧୦ ବର୍ଷ ତଳେ ଆଣି ଦେଇଥିଲା ମୁଖ୍ୟମନ୍ତ୍ରୀ ପଦ।

 

Share